ଗଲୱାନ ସଂଘର୍ଷ : ପ୍ରଥମ ଥର ପାଇଁ ସୈନିକ ମୃତ୍ୟୁକୁ ସ୍ବୀକାର କଲା ଚୀନ୍‌

ସଂଘର୍ଷର ଭିଡିଓ ଜାରି କଲା

ବେଜିଂ : ଗଲ୍‌ୱାନ୍‌ ସଂଘର୍ଷର ଦୀର୍ଘ ୮ ମାସ ପରେ ଶେଷରେ ଚୀନ୍‌ ନିଜ ସୈନିକ ମୃତ୍ୟୁକୁ ସ୍ବୀକାର କରିଛି ଏବଂ ସଂଘର୍ଷର ଏକ ଭିଡିଓ ଜାରି କରିଛି। ଗଲ୍‌ୱାନ୍‌ ସଂଘର୍ଷରେ ଚୀନ୍‌ ଏହାର ୪ ଜଣ ସୈନିକଙ୍କୁ ହରାଇଥିବା ସରକାରୀ ଭାବେ ସ୍ବୀକାର କରିଛି। ତେବେ ଏହି ସଂଘର୍ଷରେ ପ୍ରକୃତରେ ପ୍ରାୟ ୪୦ରୁ ଅଧିକ ସୈନିକ ମରିଛନ୍ତି ବୋଲି ଆମେରିକା, ରୁଷ୍‌ ବାରମ୍ବାର କହି ଆସିଛନ୍ତି ଏବଂ ଭାରତ ମଧ୍ୟ ଏ ବାବଦ ତଥ୍ୟ ପୂର୍ବରୁ ରଖି ଆସିଛି। ଚୀନ୍‌ ଏହି ପ୍ରସଙ୍ଗରେ ପୂର୍ବରୁ ସଂପୂର୍ଣ୍ଣ ନିରବ ରହିଥିବା ବେଳେ ପରିଶେଷ‌ରେ ସୈନିକଙ୍କ ମୃତ୍ୟୁ ଖବରକୁ ସ୍ବୀକାର କରିଛି। ଚୀନ୍‌ ସେନାର ସରକାରୀ ଖବରକାଗଜ ପିଏଲ୍‌ଏ ଡେଲିରେ ପ୍ରକାଶିତ ଏକ ଖବର ଅନୁଯାୟୀ ଚୀନ୍‌ ଗଲ୍‌ୱାନ୍‌ ସଂଘର୍ଷରେ ନିହତ ୪ ସୈନିକ ଏବଂ ଜଣେ ଆହତ ଅଧିକାରୀଙ୍କୁ ସମ୍ମାନିତ କରିଛି। ନିହତ ସୈନିକଙ୍କ ମଧ୍ୟରେ କି ଜିନ୍‌ଜିଆଙ୍ଗ୍‌ ମିଲିଟାରି କମାଣ୍ଡ୍‌ର ରେଜିମେଣ୍ଟ୍‌ର କମାଣ୍ଡର ମଧ୍ୟ ରହିଥିବା ଚୀନ୍‌ କହିଛି। ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ୧୫ରେ ହୋଇଥିବା ଗଲୱାନ୍‌ ସଂଘର୍ଷରେ ଭାରତ ୨୦ ଯବାନଙ୍କୁ ହରାଇଥିଲା। ଏହି ସଂଘର୍ଷରେ ଚୀନ୍‌ର ୪୦ରୁ ସୈନିକ ନିହତ ହୋଇଥିଲେ ବୋଲି ସୂଚନା ଥିଲା। କିନ୍ତୁ ଚୀନ୍‌ ଏହାକୁ ସ୍ବୀକାର କରିନଥିଲା। ତେବେ ନିକଟରେ ରୁଷ୍‌ କହିଥିଲା ଯେ, ଗଲୱାନ୍‌ ସଂଘର୍ଷ ଯୋଗୁଁ ଚୀନ୍‌ ୪୫ ସୈନିକଙ୍କୁ ହରାଇଛି। ଆମେରିକା ମଧ୍ୟ ଗୁଇନ୍ଦା ସୂଚନା ଆଧାରରେ ସମାନ ଦାବି କରିବା ପରେ ଶେଷରେ ଚୀନ୍‌ ଅଡ଼ୁଆରେ ପଡ଼ି ଏହାକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛି।

ସମ୍ବନ୍ଧିତ ଖବର