ମୁମ୍ବାଇରେ ଏ ବର୍ଷ ନିଆରା ଗଣେଶ ପୂଜା

ମୁମ୍ବାଇ: ଚଳିତ ବର୍ଷ ମହାମାରୀ କୋଭିଡ୍‌-୧୯ର ଭୟାବହତା ଭିତରେ ମୁମ୍ବାଇବାସୀ ସେମାନଙ୍କର ସବୁଠୁ ଲୋକପ୍ରିୟ ମହୋତ୍ସବ ଗଣପତି ପୂଜାକୁ ନିଆରା ଢଙ୍ଗରେ ପାଳିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବାହାରକୁ ଯାଇ ମୂର୍ତ୍ତି କିଣିବା ପାଇଁ ପ୍ରାୟ ପରିବାର ଆଗ୍ରହ ପ୍ରକାଶ ନକରି ନିଜ ଘରେ ନିଜ ହାତରେ ଗଣପତିଙ୍କର ପ୍ରତିମା ଗଢ଼ିବା ପାଇଁ ମନ ବଳାଇଥିଲେ। ବନ୍ଧୁବାନ୍ଧବ କାହାକୁ ନିମନ୍ତ୍ରଣ ନକରି ପରିବାର ସଦସ୍ୟଙ୍କ ଭିତରେ ହିଁ ପୂଜାକୁ ସୀମିତ ରଖିଛନ୍ତି। ଅନେକ ପରିବାର ନିଜ ଘରେ ପରିବେଶ ଅନୁକୂଳ ମୂର୍ତ୍ତି ସ୍ଥାପନ କରିଥିବା ବେଳେ କେହି କେହି ପାରମ୍ପରିକ ସଜଫୁଲ ଛାଡ଼ି କାଗଜ ଫୁଲରେ ପୂଜାସ୍ଥଳୀ ସଜାଇବାକୁ ପସନ୍ଦ କରିଛନ୍ତି।

ସେହିପରି ପୂଜାକୁ ନିରାପଦ କରିବା ପାଇଁ କେହି କେହି ଚକୋଲେଟ୍‌ ଓ ବିଭିନ୍ନ ମିଠାରେ ଗଣେଶ ମୂର୍ତ୍ତି ଗଢ଼ିଥିବା ବେଳେ ଅନ୍ୟମାନେ ମାଟିର ମୂର୍ତ୍ତି ସ୍ଥାପନ କରିଛନ୍ତି। ଦାଦର ବାସିନ୍ଦା ସୁମିତ୍‌ ପଟେଲ ନିଜ ରେଜେଇରୁ ତୁଳା କାଢ଼ି ଏକ ପ୍ରତିମା ଗଢ଼ିଥିବା କହିଛନ୍ତି। ସେହିପରି ନେହା ଦିବାକରଙ୍କ ପୁଅ ପ୍ୟାରିସରେ ଅଟକ ଥିବାରୁ ଘରେ ଏକା ଏକା କେମିତି ପୂଜା ପାଳିବେ ବୋଲି ଚିନ୍ତାରେ ଥିଲେ। ବାହାରକୁ ନଯାଇ ଘରେ କିପରି ମୂର୍ତ୍ତି ବି ବିସର୍ଜନ କରିହେବ, ସେଥିପାଇଁ ସେ ଯଥେଷ୍ଟ ଆଗରୁ ଅନ୍‌ଲାଇନ୍‌ରେ ଏକ ପରିବେଶ ଅନୁକୂଳ ମୂର୍ତ୍ତି ଗଢ଼ିବା ପାଇଁ ପ୍ରଶିକ୍ଷଣ ନେଇଥିଲେ। ସେହିପରି ପ୍ରଣାଳୀ ସହସ୍ରବୁଦ୍ଧେ ନାମକ ଜନୈକ ପ୍ରଫେସର ଗତ ୪ ବର୍ଷ ହେଲା ଘରେ ପରିବେଶ ଅନୁକୂଳ ମୂର୍ତ୍ତି ପୂଜା କରି ଆସୁଥିବା ବେଳେ ଚଳିତବର୍ଷ ସାଜସଜ୍ଜା ପାଇଁ ମଧ୍ୟ କାଗଜ ଫୁଲ ଆଣିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର