ବିଦାୟ ନେଲେ ଲାଲବାଗ ଗଣେଶ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରୁ ବିଦାୟ ନେଇଛନ୍ତି ଲାଲବାଗ ବପ୍ପା । ‘ଗଣପତି ବପ୍ପା ମୋରିୟା ଅଗଲେ ବରଷ ତୁ ଜଲଦି ଆ’ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ମୁମ୍ବାଇ ସହର । ପୂରା ପରିବେଶ ଭକ୍ତିମୟ ହୋଇ ଉଠିଥିବାବେଳେ ବପ୍ପାଙ୍କୁ ବିଦାୟ ଦେବା ବେଳକୁ ଆଖିରୁ ଝରି ଆସିଥିଲା ଲୁହ । ତଥାପି ହୃଦୟକୁ ପଥର କରି ଲାଲବାଗ ଗଣପତିଙ୍କୁ ମୁମ୍ବାଇବାସିନ୍ଦା ବିଦାୟ ଦେଇଥିଲେ । ଏଠାରେ ସୂଚନା ଥାଉ ଚଳିତବର୍ଷ ଲାଲବାଗର ରାଜାଙ୍କ ମୂର୍ତ୍ତି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା | ଲାଲବାଗ ରାଜାଙ୍କ ପ୍ରତିମା ସବୁଠାରୁ ବିଶାଳକାୟ ହୋଇଥିବା ବେଳେ ଏହି ମଣ୍ଡପରେ ଚଳିତ ଥର ଥିମ୍‌ ରହିଥିଲା ଚନ୍ଦ୍ରଯାନ-୨।

 

 

ମଣ୍ଡପକୁ ବହୁ ଆଡ଼ମ୍ବରରେ ସାଜସଜ୍ଜା କରାଯାଇଥିବା ବେଳେ ଗଣେଶଙ୍କ ଚାରିପାଖରେ ମହାକାଶର ଦୃଶ୍ୟ ଦେଖିବାକୁ ମିଳିଥିଲା।ତାଙ୍କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ଭିଡ ହୋଇଥିଲା । ଗଣେଶ ଉତ୍ସବ ସମୟରେ ଲାଲବାଗ ରାଜାଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ୧୫ ଲକ୍ଷ ଲୋକ ଆସିଥିଲେ । ଏପରିକି ବପ୍ପାଙ୍କ ଟିକିଏ ଝଲକ ପାଇବା ପାଇଁ ଭକ୍ତମାନେ ଲାଇନରେ ୨୪ ଘଣ୍ଟାରୁ ବି ଅଧିକ ସମୟ ଛିଡା ହୋଇଥିଲେ ।


୧୯୩୪ ମସିହାରେ ପ୍ରଥମଥର ପାଇଁ ଏହି ପେଣ୍ଡାଲରେ ଗଣପତିଙ୍କୁ ସ୍ଥାପନା କରାଯାଇଥିଲା । ଦୀର୍ଘ ୮୬ ବର୍ଷ ଧରି ଏହି ପେଣ୍ଡାଲରେ ବପ୍ପା ପୂଜା ପାଇ ଆସୁଛନ୍ତି । ତେବେ ୧୯୩୫ ମସିହାରୁ ଆଜି ପର୍ଯ୍ୟନ୍ତ କାମ୍ବଲି ପରିବାର ବପ୍ପାଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି । ବପ୍ପାଙ୍କ ଦର୍ଶନ କରିବା ପାଇଁ ପ୍ରତିବର୍ଷ ଏଠାରେ ସେଲିବ୍ରିଟି ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳେ ।

ସମ୍ବନ୍ଧିତ ଖବର