ରାହୁଲ ଇସ୍ତଫାଜିଦ୍‌ରେ ଅଟଳ, ଗେହଲଟ୍‌ ହେବେ ନୂଆ କଂଗ୍ରେସ ଅଧ୍ୟକ୍ଷ!

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ଜିଦ୍‌ରେ ଅଟଳ ରହିଛନ୍ତି। ପରବର୍ତ୍ତୀ କଂଗ୍ରେସ ସଭାପତି କିଏ ହେବ ସେ ନେଇ ମଧ୍ୟ ସେ ଆଦୌ ହସ୍ତକ୍ଷେପ କରିବେ ନାହିଁ ବୋଲି ଆଜି ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ରଖି ସ୍ପଷ୍ଟ କରିଦେଇଛନ୍ତି। ଗତ ଲୋକସଭା ନିର୍ବା‌ଚନରେ କଂଗ୍ରେସର ଖରାପ୍‌ ପ୍ରଦର୍ଶନ ପାଇଁ ରାହୁଲ ନିଜକୁ ଦାୟୀ କରିଛନ୍ତି ଏବଂ ଏଥିପାଇଁ ସଭାପତି ପଦରୁ ଇସ୍ତଫା ଦେବାକୁ ଅଡ଼ି ବସିଛନ୍ତି। ଯେତେ ବୁଝ‌ାସୁଝା ସତ୍ତ୍ବେ ରାହୁଲ ତାଙ୍କ ନିଷ୍ପତ୍ତି ବଦଳାଉ ନାହାନ୍ତି। ସେ ଇସ୍ତଫା ଦେବେ ଏବଂ ତାଙ୍କ ଉତ୍ତରାଧିକାରୀଙ୍କୁ ଦଳ ହିଁ ବାଛିବ ବୋଲି ରାହୁଲ କହିଛନ୍ତି। ଅନ୍ୟପ‌‌କ୍ଷରେ ‘ନବଭାରତ ଟାଇମ୍ସ’ରେ ପ୍ରକାଶ ପାଇଥିବା ଏକ ରି‌ପୋର୍ଟରୁ ଜଣାପଡ଼ିଛି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇପାରନ୍ତି। ଗେହଲଟ୍‌ଙ୍କୁ ନୂଆ ଦାୟିତ୍ବ ଗ୍ରହଣ କରିବାପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଯଦି ଅଶୋକ ଗେହଲଟ୍‌ କଂଗ୍ରେସ ମୁଖ୍ୟ ହୁଅନ୍ତି ତେବେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ମୁଖ୍ୟମନ୍ତ୍ରୀ ହେବେ। ଉଲ୍ଲେଖଯୋଗ୍ୟ କଂଗ୍ରେସର ବହୁ ବରିଷ୍ଠ ନେତା ରାହୁଲଙ୍କୁ ସଭାପତି ପଦରେ ରହିବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ରାହୁଲ ଏହାକୁ ଗ୍ରହଣ କରିନାହାନ୍ତି। କିଛି ପୁରୁଖା ନେତା ଚାହିଥିଲେ ଯେ ଗାନ୍ଧୀ ପରିବାରରୁ କେହି ଜଣେ କଂଗ୍ରେସ ମୁଖ୍ୟ ପଦରେ ରହିବେ ଏବଂ ଅନ୍ୟ ଦୁଇ ତିନି ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବେ। କିନ୍ତୁ ରାହୁଲ ଏହି ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ମା’ ସୋନିଆ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ଦାୟିତ୍ବ ଦିଆଯିବ ନାହିଁ ବୋଲି ରାହୁଲ ସ୍ପଷ୍ଟ କରିବା ପରେ ଦଳ ଏବେ ନୂଆ ସଭାପତି ନିଯୁକ୍ତି ପାଇଁ ପ୍ରୟାସ ଆରମ୍ଭ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଗତକାଲି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଦଳର ମୁଖ୍ୟାଳୟରେ ଭେଟି ଶୁଭେଚ୍ଛା‌ ଜଣାଇଥିଲେ। ଗେହଲଟ୍‌ ମଧ୍ୟ ରାହୁଲଙ୍କୁ କଂଗ୍ରେସ ମୁଖ୍ୟ ପଦରେ ରହିବାପାଇଁ ଅନୁରୋଧ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର