ମାଇଣ୍ଡଟ୍ରି ଛାଡ଼ିଲେ ବାଗ୍‌ଚି, ବୋର୍ଡରେ ଏଲ୍‌ଆଣ୍ଡ୍‌ଟିର ପତିଆରା ବଢ଼ିଲା

ବେ‌ଙ୍ଗାଲୁରୁ: ମାଇଣ୍ଡଟ୍ରିକୁ ଏଲ୍ ଆଣ୍ଡ ଟିର ଅଧିଗ୍ରହଣରୁ ରକ୍ଷା କରିବାକୁ ଗତ କିଛିଦିନ ହେଲା ସମସ୍ତ ପ୍ରକାର ଚେଷ୍ଟା ଚଳାଇଥିବା ସୁବ୍ରତ ବାଗ୍‌ଚି ଶେଷରେ କମ୍ପାନି ଛାଡ଼ିଛନ୍ତି। ୧୯୯୯ ମସିହାରେ ମାଇଣ୍ଡଟ୍ରିର ପ୍ରତିଷ୍ଠା ସୁବ୍ରତ ବାଗଚି ଓ ଅନ୍ୟମାନଙ୍କ ଦ୍ବାରା ହୋଇଥିଲା। ବାଗ୍‌ଚି ଆସନ୍ତା ଜୁଲାଇ ୧୬ ତାରିଖରେ କମ୍ପାନିରୁ ଅବସର ନେବାକୁ ଥିବାବେଳେ ତାଙ୍କର ପୁନଃନିଯୁକ୍ତି ନେଇ କୌଣସି ପ୍ରସ୍ତାବ ସେ ଦେଇନାହାନ୍ତି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ କମ୍ପାନି ଦେଇଥିବା ସୂଚନାରୁ ଏହା ଜଣାଯାଇଛି। ବାଗ୍‌ଚିଙ୍କ ବ୍ୟତୀତ ଅନ୍ୟ ସହ ପ୍ରତିଷ୍ଠାତା ଯଥା ସିଇଓ ରୋଷ୍ଟୋ ରାବନନ୍, ଅଧ୍ୟକ୍ଷ କ୍ରିଷ୍ଣକୁମାର ନଟରାଜନ୍ ଏବଂ ଏନ ଏସ ପାର୍ଥସାରଥୀ ନିର୍ଦେଶକମଣ୍ଡଳୀରେ ପୂର୍ବଭଳି କାର୍ଯ୍ୟ କରିବେ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ବର୍ତମାନ ସୁଦ୍ଧା ମିଳିପାରି ନାହିଁ।

ଅନ୍ୟପକ୍ଷରେ ମାଇଣ୍ଡଟ୍ରିର ବୋର୍ଡରେ ୫ ଜଣ ନୂଆ ନିର୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଏଲ୍ ଆଣ୍ଡ୍ ଟି ୩ ଜଣଙ୍କୁ ନିଯୁକ୍ତି ଦେଇଛି। ସେମାନେ‌ ହେଲେ ଏଲ୍ ଆଣ୍ଡ ଟି ସିଇଓ ତଥା ଏମଡି ଏସ୍‌. ଏନ୍‌. ସୁବ୍ରମଣ୍ୟନ୍, ଏଲ୍ ଆଣ୍ଡ ଟିର ପ୍ରତିରକ୍ଷା ବ୍ୟବସାୟର ବରିଷ୍ଠ କାର୍ଯ୍ୟନିର୍ବାହୀ ଉପସଭାପତି ଜୟନ୍ତ ଦାମୋଦର ପାଟିଲ ଏବଂ ପୂର୍ଣ୍ଣକାଳୀନ ନିର୍ଦେଶକ ତଥା ମୁଖ୍ୟ ଆର୍ଥିକ ଅଧିକାରୀ  ରାମମୂର୍ତି ଶଙ୍କର ରମଣ। ଏତଦବ୍ୟତୀତ ମାଇଣ୍ଡ ଟ୍ରି ପକ୍ଷରୁ କମ୍ପାନିର ସ୍ବାଧୀନ ନିର୍ଦେଶକ ଭାବେ ପ୍ରସନ୍ନ ରଙ୍ଗାଚାର୍ଯ୍ୟ ମହୀଶୂରଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଜଣେ ଆଇନ ପରାମର୍ଶଦାତା। ୧୯୯୧ରୁ ୧୯୯୮ ମସିହା ପର୍ଯ୍ୟନ୍ତ ସେ  ଏଲ୍ ଆଣ୍ଡ ଟିର ମୁଖ୍ୟ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ଦୀପା ଗୋପାଳନ୍ ୱାଧୱାଙ୍କୁ ମଧ୍ୟ ମାଇଣ୍ଡଟ୍ରିର ନୂଆ ନିର୍ଦେଶକଭାବେ ନିଯୁକ୍ତି ଦିଆଯାଇଛି। ଭାରତୀୟ ବିଦେଶ ସେବାର ସେ ଜଣେ ପୂର୍ବତନ ଅଧିକାରୀ ତଥା କୂଟନୀତିଜ୍ଞ।

ଜୁଲାଇ ୧୬ ତାରିଖରେ କମ୍ପାନିର ‌୨୦ତମ ବାର୍ଷିକ ସାଧାରଣ ବୈଠକ ହେବ। ସେହି ବୈଠକରେ ଅଂଶଧାରୀମାନେ ନୂଆ ନିର୍ଦେଶକମାନଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିବା ଉପରେ ଏମାନଙ୍କ ଭବିଷ୍ୟତ ନିର୍ଭର କରୁଛି। ଯଦି ମଞ୍ଜୁରି ମିଳେ ତାହେଲେ ସେମାନଙ୍କ କାର୍ଯ୍ୟକାଳ ଜୁଲାଇ ୧୬ ତାରିଖରୁ ଆରମ୍ଭ ହେବ। ବର୍ତମାନ ମାଇଣ୍ଡଟ୍ରିର ନିର୍ଦେଶକମଣ୍ଡଳୀରେ ପ୍ରତିଷ୍ଠାତା କ୍ରିଷ୍ଣକୁମାର ନଟରାଜନ୍, ରୋଷ୍ଟୋ ରାବଣନ୍, ଏନଏସ ପାର୍ଥସାରଥୀ ଏବଂ ସୁବ୍ରତ ବାଗ୍‌ଚି ରହିଛନ୍ତି। ଅନ୍ୟ ୪ ଜଣ ସ୍ବାଧୀନ ନିର୍ଦେଶକ ହେଲେ ଅପୂର୍ବା ପୁରୋହିତ, ମିଲିନ୍ଦ ସୱାର୍ତେ, ଅକ୍ଷୟ ଭାର୍ଗବ ଏବଂ ବି. କୁରିଏନ୍। ନିକଟରେ ଏଲ୍ ଆଣ୍ଡ ଟି ପକ୍ଷରୁ ମାଇଣ୍ଡଟ୍ରିର ୩୧% ଅଂଶଧନ କିଣିବା ପାଇଁ ଓପନ୍ ଅଫର୍ ପ୍ରଦାନ କରାଯାଇଛି। ଗତ ୧୭ରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏ ବାବଦରେ କମ୍ପାନି ପ୍ରାୟ ୫ ହଜାର କୋଟି ଟଙ୍କା ନିବେଶ କରିବ। ଉକ୍ତ ୩୧% ଅତିରିକ୍ତ ଅଂଶଧନ କିଣିଲେ ମାଇଣ୍ଡଟ୍ରିରେ ଏଲ୍ ଆଣ୍ଡ ଟିର ଅଂଶଧନ ୬୬.୩୨%କୁ ବୃଦ୍ଧି ପାଇବ। ଭାରତର ଆଇଟି ଶିଳ୍ପରେ ପ୍ରଥମ ଥର ପାଇଁ ମାଇଣ୍ଡଟ୍ରିକୁ ବଳପୂର୍ବକ କିଣିବା ଲାଗି ଏଲ୍ ଆଣ୍ଡ ଟି ଉଦ୍ୟମ କରିଥିଲା। କାଫେ କଫି ଡେ ଏବଂ ଏହାର ପ୍ରତିଷ୍ଠାତା ଭି ଜି. ସିଦ୍ଧାର୍ଥଙ୍କର ମାଇଣ୍ଡଟ୍ରିରେ ଥିବା ୨୦.୩୨% ଅଂଶଧନକୁ ୩୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥରେ କିଣିବା ଲାଗି ଗତ ମାର୍ଚ ୧୮ରେ ଏକ ରାଜିନାମା ସ୍ବାକ୍ଷର କରିଥିଲା।

ସମ୍ବନ୍ଧିତ ଖବର