ଗୋପାଲ କାଣ୍ଡାଙ୍କ ସମର୍ଥନରେ ହରିୟାଣାରେ ସରକାର ଗଠନ କଲେ ଏହା ବିଜେପି ପାଇଁ ଆତ୍ମଘାତୀ ସଦୃଶ ହେବ; କହିଲେ ଉମା ଭାରତୀ

ଚଣ୍ଡିଗଡ଼/ ନୂଆଦିଲ୍ଲୀ: ହରିୟାଣାରେ ସରକାର ଗଠନ ପାଇଁ ବିଜେପି ଆବଶ୍ୟକ ମ୍ୟାଜିକ୍‌ ନମ୍ବର ଠାରୁ ୬ କମ୍‌ରେ ଥିଲେ ମଧ୍ୟ ସରକାର ଗଠନ ପାଇଁ ସମସ୍ତ ପ୍ରକାରର ପ୍ରୟାସ ଆରମ୍ଭ କରିଦେଇଛି। ଏପରିପ୍ରେକ୍ଷୀରେ ସିର୍ସା ବିଧାନସଭା ଆସନରୁ ବିଜୟଲାଭ କରିଥିବା ହରିୟାଣା ଲୋକହିତ୍‌ ପାର୍ଟିର ଗୋପାଲ କାଣ୍ଡା ସରକାର ଗଠନ ପାଇଁ ବିଜେପିକୁ ସବୁମତେ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି। ସରକାର ଗଠନ ପାଇଁ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ବିଜେପିର ଜନୈକ ସାଂସଦଙ୍କ ସହ ହରିୟାଣା ଛାଡ଼ିବା ପୂର୍ବରୁ ଗୋପାଲ କାଣ୍ଡା ଗଣମାଧ୍ୟମକୁ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହରିୟାଣା ନିଜର ବିକାଶ ଚାହୁଁଛି। ତେଣୁ, ନିର୍ବାଚନରେ ବିଜୟଲାଭ କରିଥିବା ସମସ୍ତ ସ୍ୱାଧୀନ ବିଧାୟକ ରାଜ୍ୟରେ ବିଜେପିକୁ ସରକାର ଗଠନ ପାଇଁ ସର୍ତ୍ତହୀନ ସମର୍ଥନ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି’।

ତେବେ, ଗୋପାଲ କାଣ୍ଡାଙ୍କ ସମର୍ଥନରେ ହରିୟାଣାରେ ସରକାର ଗଠନ ପାଇଁ ବିଜେପି ଚଳାଇଥିବା ଉଦ୍ୟମକୁ ଏବେ ଦଳ ମଧ୍ୟରୁ ବିରୋଧ ହେବା ଆରମ୍ଭ ହୋଇଗଲାଣି। ଗୋପାଲ କାଣ୍ଡା ଜଣେ ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକ ହୋଇଥିବାରୁ ପୁଣି ଜଣେ ଏୟାର ହୋଷ୍ଟେସ୍‌ଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଘଟଣାରେ ତାଙ୍କର ସଂପୃକ୍ତି ନେଇ ଏବେ ତଦନ୍ତ ଚାଲୁ ରହିଥିବାରୁ ଏପରି ଜଣେ ବ୍ୟକ୍ତିଙ୍କର ସହାୟତା ନେଇ ରାଜ୍ୟରେ ସରକାର ଗଠନ ବିଜେପିର ଭାବମୂର୍ତ୍ତି ସାଧାରଣରେ କ୍ଷୁଣ୍ଣ ହେବ ବୋଲି ଦର୍ଶାଇ ଦଳର ଅନ୍ୟତମ ବରିଷ୍ଠ ନେତ୍ରୀ ତଥା ଦଳର ଉପ ସଭାପତି ଉମା ଭାରତୀ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷରେ ଦଳ ଯଦି ଏକତରଫା ଭାବେ ଗୋପାଲ କାଣ୍ଡାଙ୍କ ସମର୍ଥନ ନେଇ ରାଜ୍ୟରେ ସରକାର ଗଠନ କରେ ତେବେ ଏହା ଦଳ ପାଇଁ ଆତ୍ମଘାତୀ ସଦୃଶ ହେବ ବୋଲି ମଧ୍ୟ କହିଛନ୍ତି ଦଳର ଅନ୍ୟ ବହୁ ବରିଷ୍ଠ ନେତା।

କଂଗ୍ରେସ ମଧ୍ୟ ସରକାର ଗଠନ ପାଇଁ ବିଜେପି ଗୋପାଲ କାଣ୍ଡାଙ୍କ ସହ ହାତ ମିଳାଇବା ଘଟଣାକୁ ତୀବ୍ର ବିରୋଧ କରିଛି।

ସମ୍ବନ୍ଧିତ ଖବର