ଅଭିଯୋଗକାରୀ ମହିଳା ଗୋଗୋଇଙ୍କ କୋର୍ଟରେ ଆବେଦନ କରିବେ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳା କର୍ମଚାରୀ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ମାମଲାରେ ସୁପ୍ରିମ କୋର୍ଟରେ ଆବେଦନ କରିବେ। ତେବେ ସେ ଏହି ଆବେଦନ ଗୋଗୋଇଙ୍କ କୋର୍ଟରେ ହିଁ କରିବେ ବୋଲି ତାଙ୍କର ଆଡଭୋକେଟ୍‌ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି। ବହିଷ୍କାର ବିରୋଧରେ ଆବେଦନ କରିବା ସର୍ଭିସ୍‌ ନିୟମରେ ବ୍ୟବସ୍ଥା ରହିଛି ବୋଲି ଭୂଷଣ କହିଛନ୍ତି। ସମ୍ପୃକ୍ତ ମହିଳା ଜଣକ ତାଙ୍କ ଝିଅର ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଛୁଟି ଚାହିଁଥିଲେ। ତେବେ ତାଙ୍କୁ କାର୍ଯ୍ୟକ୍ରମ ପରେ ଡ୍ୟୁଟିରେ ଯୋଗଦେବାକୁ କୁହାଯାଇଥିଲା। ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ପ୍ରକ୍ରିୟାରେ ମହିଳା ଜଣକ ତଦନ୍ତ କମିଟି ଆଗରେ ହାଜିର ହୋଇଥିଲେ, କିନ୍ତୁ ସେ ପଚରାଉଚରା ବେଳେ ଅଚେତ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବହିଷ୍କାର କରିଦିଆଯାଇଥିଲା। ମହିଳାଙ୍କ ବିରୋଧରେ ଥିବା ଅଭିଯୋଗ ସେତେ ଗୁରୁତର ନୁହଁ ବୋଲି ତାଙ୍କର ଜଣେ ଆଇନ ପରାମର୍ଶଦାତା କହିଛନ୍ତି।

ସମ୍ବନ୍ଧିତ ଖବର