ମାନବ ଜିନୋମ୍‌ ପ୍ରୋଟିନ୍‌ ସଂରଚନା ଉନ୍ମୋଚନ କଲା ଗୁଗୁଲ ଏଆଇ

ନୂଆଦିଲ୍ଲୀ : ମାନବ ଜାତିର ବିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ଏହାକୁ ଭଲଭାବେ ବୁଝିବାକୁ ହେଲେ ମାନବ ଗୁଣସୂତ୍ର (ହ୍ୟୁମାନ ଜିନୋମ)ର ଗଠନକୁ ବୁଝିବା ଆବଶ୍ୟକ। ମାନବ ଜିନୋମରେ ୨୦,୦୦୦ ରୁ ଅଧିକ ପ୍ରୋଟିନ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ କେବଳ ଏକ ତୃତୀୟାଂଶ ନିର୍ଣ୍ଣୟ କରାଯାଇଛି। ବର୍ତ୍ତମାନ ଗୁଗୁଲର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଦ୍ବାରା ପ୍ରାୟ ସମସ୍ତ ମାନବ ପ୍ରୋଟିନର ଗଠନ ରହସ୍ୟ ଉନ୍ମୋଚନ ହୋଇପାରିଛି ଯାହା ଜୀବ ବିଜ୍ଞାନ କ୍ଷେତ୍ରରେ ଏଆଇର ସବୁଠାରୁ ବଡ ଅବଦାନ ହୋଇପାରେ। ଗୁଗୁଲ୍‌ର ଡିପ୍ ମାଇଣ୍ଡ ଦ୍ବାରା ବିକଶିତ ହୋଇଥିବା ଏଆଇ, ଆଲଫାଫୋଲ୍ଡ ଜେନୋମିକ୍ ନିର୍ଦ୍ଦେଶଗୁଡ଼ିକର ଡାଟାବେସ୍ ସଂଗ୍ରହ କରିଛି ଏବଂ ଗବେଷକଙ୍କ ପାଇଁ ମାଗଣାରେ ବ୍ୟବହାର କରିବା ପାଇଁ ଏହାକୁ ଅନଲାଇନରେ ଉପଲବ୍ଧ କରାଉଛି।

ପ୍ରୋଟିନ୍ କ’ଣ?
ପ୍ରୋଟିନ୍ ହେଉଛି ଆମିନୋ ଏସିଡ୍‌ ଗୁଡିକର ଏକ ଜଟିଳ ସଂରଚନା ଯାହା ଶରୀରର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ କୋଷିକା ସଂରଚନାର ବ୍ଲକ୍‌ ନିର୍ମାଣ କରିଥାଏ। ଆମେରିକାର ନ୍ୟାସନାଲ୍ ଲାଇବ୍ରେରି ଅଫ୍ ମେଡିସିନ୍ ଅନୁଯାୟୀ ପ୍ରୋଟିନ୍ କୋଷଗୁଡ଼ିକରେ ଅଧିକାଂଶ କାର୍ଯ୍ୟ କରିଥାଏ ଏବଂ ଶରୀରର ଟିସୁ, ଅଙ୍ଗର ଗଠନ, କାର୍ଯ୍ୟ ଏବଂ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହୋଇଥାଏ।

ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?
ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ପ୍ରୋଟିନଗୁଡ଼ିକର ଆକାର ସେମାନଙ୍କ କାର୍ଯ୍ୟକଳାପ ଏବଂ କୌଶଳ ବିଷୟରେ ଏକ ବିବରଣୀ ଦେବ ଯାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନାହିଁ। ପ୍ରୋଟିନ୍ ସଂରଚନାର ଉପଲବ୍ଧତା କୋଷଗୁଡିକର ନିର୍ମାଣ ବ୍ଲକ୍‌ଗୁଡ଼ିକର ବୁଝାମଣାକୁ ତ୍ୱରାନ୍ୱିତ କରିବା ସହ ରୋଗର ଉପଶମ ପାଇଁ ନୂତନ ଔଷଧର ଆବିଷ୍କାରରେ ବଡ଼ ଭୂମିକା ନେଇପାରେ। ଗୁଗୁଲ୍‌ ଡିପ୍‌ମାଇଣ୍ଡ କହିଛି ଯେ ପ୍ରୋଟିନ୍ ଡାଟାବେସ୍ ଗବେଷକମାନଙ୍କୁ ରୋଗର ଉପଶମ ଖୋଜିବାରେ ସାହାଯ୍ୟ କରିବ ଏବଂ ଆଣ୍ଟିବାୟୋଟିକ୍ ପ୍ରତିରୋଧ, ମାଇକ୍ରୋପ୍ଲାଷ୍ଟିକ୍ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମେତ ମାନବ ଜାତି ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ବଡ଼ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ। ୨୦୨୦ ରେ ଏହି ସଂସ୍ଥା ଏହାର ଆମିନୋ ଏସିଡ୍ କ୍ରମରୁ ଏକ ପ୍ରୋଟିନର ୩ଡି ଆକୃତି ନିର୍ଣ୍ଣୟ କରିବା ପରେ ସମଗ୍ର ବିଶ୍ୱରେ ଏହା ଶିରୋନାମା ପାଲଟିଥିଲା।

ସମ୍ବନ୍ଧିତ ଖବର