ଗୋରଖପୁର ଶିଶୁ ମୃତ୍ୟୁ ମାମଲା: ଡାକ୍ତର କଫିଲ୍‌ ଖାନ୍‌ ନିର୍ଦ୍ଦୋଷ

ସରକାର କ୍ଷମା ମାଗିବା ଉଚିତ: କଫିଲ୍‌

ଲକ୍ଷ୍ନୌ: ୨୦୧୭ ଅଗଷ୍ଟ ମାସରେ ଉତ୍ତରପ୍ରଦେଶର ଗୋରଖପୁର ସ୍ଥିତ ବିଆରଡି ମେଡିକାଲ୍‌ କଲେଜ୍‌ରେ ଅକ୍ସିଜେନ୍‌ ଅଭାବରୁ ୬୦ ଶିଶୁଙ୍କ ମୃତ୍ୟୁ ‌ହୋଇଥିଲା। ମେଡିକାଲ କଲେଜ୍‌ର ଡାକ୍ତର କଫିଲ୍‌ ଖାନ୍‌ଙ୍କୁ ଏଥିପାଇଁ ମୁଖ୍ୟତଃ ଦାୟୀ କରାଯାଇଥିବା ବେଳେ ତଦନ୍ତ ରିପୋର୍ଟରେ ସେ ସଂପୂର୍ଣ୍ଣ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ହସ୍ପିଟାଲ୍‌କୁ ଅକ୍ସିଜେନ୍‌ ଯୋଗାଣ ବନ୍ଦ ହୋଇଯିବାରୁ ଏକାବେଳେ ଏତେଗୁଡ଼ିଏ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ମାମଲାରେ ଡାକ୍ତର କଫିଲ୍‌ ଖାନ୍‌ଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ହୋଇଥିଲା ଏବଂ ତାଙ୍କୁ ନିଲମ୍ବନ କରାଯାଇଥିଲା । ପରେ କଫିଲ୍‌ଙ୍କୁ ଗିରଫ କରି ଜେଲ୍‌ ପଠାଯାଇଥିଲା। ଚିକିତ୍ସାରେ ଅବହେଳା ଏବଂ ସବୁକିଛି ଜାଣି ମଧ୍ୟ ଡାକ୍ତର କଫିଲ୍‌ ଯଥୋଚିତ ପଦକ୍ଷେପ ଗ୍ରହଣ କରିନଥିବା ନେଇ ସରକାର ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତେବେ ଉକ୍ତ ମାମଲାର ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ ମାମଲାରେ ଡାକ୍ତର କଫିଲ୍‌ ଖାନ୍‌ଙ୍କର କିଛି ଭୁଲ୍‌ ନାହିଁ। ସେ ନିର୍ଦ୍ଦୋଷ। ଡାକ୍ତର କଫିଲ୍‌ ଚିକିତ୍ସାରେ ଅବହେଳା କରିନାହାନ୍ତି କି ହସ୍ପିଟାଲ୍‌କୁ ଅକ୍ସିଜେନ୍‌ ଯୋଗାଣ ଏବଂ ଏ ସଂକ୍ରାନ୍ତ ଦୁର୍ନୀତିରେ ତାଙ୍କର କିଛି ସମ୍ପୃକ୍ତି ନଥିଲା ବୋଲି ତଦନ୍ତ ରିପୋର୍ଟରେ କୁହାଯାଇଛି । ଡାକ୍ତର କଫିଲ ଖାନ୍ ଏବେ ଦାବି କରିଛନ୍ତି ତାଙ୍କ ପ୍ରତି ‌ଯେଉଁ ଅନ୍ୟାୟ ହୋଇଛି ଏବଂ ବିନା କାରଣରେ ସେ ସଜା କାଟିଥିବାରୁ ଯୋଗୀ ସରକାର ଏନେଇ କ୍ଷମା ମାଗିବା ଉଚିତ୍‌ ବୋଲି ସେ କହିଛନ୍ତି।

ମାମଲା କ’ଣ ଥିଲା?
୨୦୧୭ ଅଗଷ୍ଟରେ ଅକ୍ସିଜେନ୍‌ ଅଭାବ ‌ଯୋଗୁଁ ଗୋରଖପୁର ବିଆରଡି ମେଡିକାଲ୍‌ କଲେଜ୍‌ରେ ୬୦ରୁ ଅଧିକ ଶିଶୁ ମୃତ୍ୟୁ ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ପ୍ରାୟ ୬୦ରୁ ଅଧିକ ଶିଶୁଙ୍କର ଗୋଟିଏ ସପ୍ତାହ ମଧ୍ୟରେ ମୃତ୍ୟୁ ହୋଇଥିଲା। ଅକ୍ସିଜେନ୍‌ ଯୋଗାଉଥିବା ଭେଣ୍ଡରକୁ ବକେୟା ଅର୍ଥ ପୈଠ କରିନଥିବାରୁ ହସ୍ପିଟାଲ୍‌କୁ ଅକ୍ସିଜେନ୍‌ ଯୋଗାଣ ବନ୍ଦ ହୋଇଯାଇଥିଲା। ଫଳରେ ଏନ୍‌ସେଫାଲାଇଟିସ୍‌ ରୋଗରେ ପୀଡ଼ିତ ଶିଶୁମାନେ ଅକ୍ସିଜେନ୍‌ ଅଭାବରୁ ପ୍ରାଣ ହରାଇଥିଲେ। ଏହି ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ବଢ଼ିବା ପରେ ଯୋଗୀ ସରକାର ଡାକ୍ତର କଫିଲ୍‌ ଖାନ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କ ଅଧୀନରେ ଏକ କମିଟି ଗଠନ ହୋଇଥିଲା। ଡାକ୍ତର କଫିଲ୍‌ ଖାନ୍‌ ଏବଂ ବିଆରଡି ମେଡିକାଲ କଲେଜ୍‌ର ପୂର୍ବତନ ସଚିବଙ୍କ ସମେତ ୮ ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଥିଲା। ସେପ୍ଟେମ୍ବର ୭, ୨୦୧୭ରେ ଡାକ୍ତର କଫିଲ୍‌ ଖାନ୍‌ ୟୁପି ପୁଲିସ ଦ୍ବାରା ଗିରଫ ହୋଇଥିଲେ ଏବଂ ତାଙ୍କୁ ଜେଲ୍‌ ପଠାଯାଇଥିଲା। ଡାକ୍ତର କଫିଲ୍‌ ଖାନ୍‌ ୮ ମାସ ଜେଲ୍‌ରେ ରହିବାପରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରା ତାଙ୍କୁ ଏପ୍ରିଲ ୨୦୧୮‌ରେ ଜାମିନ ମିଳିଥିଲା।

ସମ୍ବନ୍ଧିତ ଖବର