ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରିବା ପାଇଁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ମଂଜୁରି ପରେ ଆଜିଠାରୁ ୬ ମାସ ପାଇଁ ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି । ଗତକାଲି ରାଜ୍ୟର ବିଜେପି-ପିଡିପି ମେଣ୍ଟ ସରକାରରୁ ବିଜେପି ଓହରି ଆସିବା ପରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌୍‌ତି ରାଜ୍ୟପାଳ ଏନ୍‌୍‌ଏନ୍‌ ଭୋରାଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ମୁଫ୍‌୍‌ତି ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ରାଜ୍ୟରେ ଅନ୍ୟ କୌଣସି ମେଣ୍ଟ ଦ୍ୱାରା ସରକାର ଗଠନ ସମ୍ଭାବନା ନଥିବାରୁ ଗତ ରାତିରେ ରାଜ୍ୟପାଳ ଶାସନ ଲାଗୁ କରିବାକୁ ରାଷ୍ଟ୍ରପତିଙ୍କ ମଂଜୁରି ଲାଡ଼ିଥିଲେ ରାଜ୍ୟପାଳ। ରାଜ୍ୟରେ ୧୯୭୭ ପରଠାରୁ ଆଜି ପର୍ଯ୍ୟନ୍ତ ୮ ଥର ରାଜ୍ୟପାଳ ଶାସନ ଲାଗୁ ହୋଇଛି। ସମ୍ବିଧାନର ଧାରା ୯୨ ଅଧୀନରେ ଏଠାରେ ରାଜ୍ୟପାଳ ଶାସନ ଲାଗୁ ପାଇଁ ସୁପାରିଶ କରାଯାଇଛି। ଏହି ୬ ମାସ ମଧ୍ୟରେ ରାଜ୍ୟପାଳ ଚାହିଁଲେ ବିଧାନସଭାକୁ ନିଲମ୍ବିତ ରଖିପାରିବେ କିମ୍ବା ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରିପାରିବେ। ଏନ୍‌ ଏନ୍‌ ଭୋରା ରାଜ୍ୟପାଳ ଥିବା ବେଳେ ରାଜ୍ୟରେ ୪ର୍ଥ ଥର ପାଇଁ ରାଜ୍ୟପାଳ ଶାସନ ଜାରି ହୋଇଛି।

ରାଜ୍ୟପାଳ ଶାସନରେ ଏବେ ଆତଙ୍କବାଦୀ ନିପାତ ଅଭିଯାନ ପାଇଁ ଚାଲିଥିବା ‘ଅପରେସନ୍‌ ଅଲ୍‌ ଆଉଟ’ରେ ଆଉ କୌଣସି ରାଜନୈତିକ ହସ୍ତକ୍ଷେପ ରହିବ ନାହିଁ ବୋଲି କୁହାଯାଉଛି। ରାଜନୈତିକ ଦଳମାନଙ୍କ ବୟାନବାଜି ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନକୁ ପୂର୍ବରୁ ପ୍ରଭାବିତ କରିଥିବା ନଜିର ରହିଛି। ଏହି ଆତଙ୍କବାଦୀ ପ୍ରବଣ ରାଜ୍ୟରେ ଏବେ ପୁଲିସ ବାହିନୀ ମଧ୍ୟ ଯଥେଷ୍ଟ ସକ୍ରିୟ ହୋଇ କାର୍ଯ୍ୟ କରିପାରିବ ବୋଲି ଡିଜିପି ଏସ୍‌୍‌.ପି. ବୈଦ କହିଛନ୍ତି। ରାଜ୍ୟପାଳ ଶାସନ ଲାଗୁ ହେବାପରେ ଆଜି ରାଜ୍ୟ ପରିସ୍ଥିତିରେ ନେଇ ରାଜ୍ୟପାଳ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଅଧିକାରୀମାନଙ୍କୁ ରାଜ୍ୟପାଳ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ କହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟପାଳ ଏନ୍‌ ଏନ୍‌ ଭୋରାଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ମୋଦି ସରକାର ଚିନ୍ତା କରୁଛନ୍ତି। ଆସନ୍ତା ଜୁନ୍‌ ୨୭ ତାରିଖରେ ଭୋରାଙ୍କ କାର୍ଯକାଳ ଶେଷ ହୋଇଥାନ୍ତା କିନ୍ତୁ ଜୁନ୍‌ ୨୮ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାରୁ ତାଙ୍କ କାର୍ଯ୍ୟକାଳକୁ ଅମରନାଥ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ବଢ଼ାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଭୋରାଙ୍କ କାର୍ଯ୍ୟକାଳ ୩ ମାସ କିମ୍ବା ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ୨୦୦୮ ମସିହା ଜୁନ୍‌ ମାସରେ ଭୋରା ଜମ୍ମୁ କଶ୍ମୀର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର