ଗୋଧ୍ରା ଟ୍ରେନ୍‌ ପୋଡ଼ି; ଆଉ ୨ ଜଣଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କଲେ ସ୍ୱତନ୍ତ୍ର ଅଦାଲତ

ଅହମ୍ମଦାବାଦ (ଗୁଜୁରାଟ): ୨୦୦୨ରେ ଘଟିଥିବା ବହୁ ଚର୍ଚ୍ଚିତ ଗୋଧ୍ରା ଟ୍ରେନ୍‌ ପୋଡ଼ିରେ ସଂପୃକ୍ତ ଥିବା ଅଭିଯୋଗରେ ଏହି ମାମଲାର ବିଚାର କରୁଥିବା ଗୁଜୁରାଟର ଏକ ସ୍ୱତନ୍ତ୍ର ଅଦାଲତ ଆଜି ଆଉ ଦୁଇ ଜଣ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରଛନ୍ତି। ଏଥିସହ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ଟ୍ରେନ୍‌ ପୋଡ଼ି ଘଟଣାରେ ୫୯ ଜଣଙ୍କର ପ୍ରାଣହାନୀ ଘଟିଥିଲା।

ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତର ବିଚାରପତି ଏଚ୍‌ ସି ଭୋରା ଆଜି ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ସଂପୃକ୍ତ ଥିବା ଅଭିଯକ୍ତ ଫାରୁକ୍‌ ଭାନା ଓ ଇମ୍ରାନ୍‌ ଓରଫ ଶେରୁ ବାଟିକ୍‌କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଏହି ମାମଲାରେ ଅଭିଯୁକ୍ତ ଥିବା ହୁସେନ୍‌ ସୁଲେମାନ ମୋହନ, କସମ ଭାମେଡ଼ି ଓ ଫାରୁକ୍‌ ଧନତିଆ ନାମକ ଅନ୍ୟ ତିନି ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ ୨୦୧୫- ୨୦୧୬ରେ ଏହି ୫ ଜଣଙ୍କୁ ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଅଭିଯୋଗରେ ପୁଲିସ୍‌ ଗିରଫ କରିଥିଲା। ପରେ ସାବରମତୀ କେନ୍ଦ୍ରୀୟ ଜେଲ ପରିସରରେ ଗଠିତ ସ୍ୱତନ୍ତ୍ର ଅଦାଲତରେ ଏମାନଙ୍କର ବିଚାର ଚାଲିଥିଲା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ୨୦୧୧ ମାର୍ଚ୍ଚ ୧ ତାରିଖରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ୩୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏମାନଙ୍କ ମଧ୍ୟରୁ ୧୧ ଜଣ ଦୋଷୀଙ୍କୁ ସ୍ୱତନ୍ତ୍ର ଅଦାଲତ ମୁତ୍ୟୁଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନ୍ୟ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେହିପରି ଅନ୍ୟ ୬୩ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

୨୦୦୨ ଫେବ୍ରୁଆରି ୨୭ ତାରଖରେ ଗୁଜୁରାଟର ଗୋଧ୍ରା ରେଳ ଷ୍ଟେସନରେ କେତକ ଦୁର୍ବୃତ୍ତ ସାବରମତୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ୫୮ ଜଣଙ୍କର ମୁତ୍ୟୁ ଘଟିବା ପରେ ସମଗ୍ର ଗୁଜୁରାଟରେ ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା ଏବଂ ଦଙ୍ଗାରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର