‘ଫାୟାର୍‌ ହେୟାର୍‌କଟ୍‌’ ବିଭ୍ରାଟ ଯୋଗୁଁ ପୋଡ଼ିଯାଇ ଆହତ ହେଲେ ୧୮ ବର୍ଷିୟ ତରୁଣ

ବଲ୍‌ସାଡ୍‌: ଗୁଜରାଟର ବଲ୍‌ସାଡ୍‌ ଜିଲ୍ଲା ଅନ୍ତର୍ଗତ ବାପି ନଗରୀରେ ଥିବା ଗୋଟାଏ ସେଲୁନ୍‌ରେ ‘ଫାୟାର୍‌ ହେୟାର୍‌କଟ୍‌’ରେ ବିଭ୍ରାଟ ଘଟିବାରୁ ଜଣେ ୧୮ ବର୍ଷିୟ ତରୁଣ ପୋଡ଼ିଯାଇ ସାଙ୍ଘାତିକ ଆହତ ହୋଇଥିବା କଥା ଆଜି ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ, ଏବେ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥିବା ‘ଫାୟାର୍‌ ହେୟାର୍‌କଟ୍‌’ରେ ଗ୍ରାହକଙ୍କ କେଶବିନ୍ୟାସ କରିବା ପାଇଁ ବାରିକ ବା ‘ହେୟାର୍‌ଡ୍ରେସର୍‌’ କେଶରେ ନିଆଁ ଲଗାଇ ଦିଅନ୍ତି।

Image Courtesy of Latesly

ବୁଧବାର ଦିନ ଉକ୍ତ ତରୁଣଙ୍କ କେଶରେ ନିଆଁ ଲଗାଯାଉଥିବା ବ‌େଳେ ତାହା ବାରିକଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଫଳରେ ସେ ତରୁଣଙ୍କ ବେକ ଓ ଛାତି ପୋଡ଼ି ଗଲା। ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ସେଠାରେ ତାଙ୍କୁ ବଲ୍‌ସାଡ୍‌ସ୍ଥିତ ‘ସିଭିଲ୍‌ ହସ୍ପିଟାଲ୍‌’କୁ ରେଫର୍‌ କରାଯାଇଥିବା କଥା ବାପି ଥାନା ପୁଲିସ କହିଛି।

Image Courtesy of NDTV

ତଦନ୍ତକାରୀ ଅଧିକାରୀ କରମସିଂହ ମକ୍‌ୱାନା କହିଛନ୍ତି ଯେ, ସେ ୧୮ ବର୍ଷିୟ ତରୁଣ ଓ ବାରିକଙ୍କଠାରୁ ବୟାନ ଆଣିବା ପାଇଁ ଉଦ୍ୟମ ଚାଲିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ‘ଫାୟାର୍‌ ହେୟାର୍‌କଟ୍‌’ ନିମନ୍ତେ ତା’ର ମୁଣ୍ଡରେ ଗୋଟାଏ ପ୍ରକାରର ରାସାୟନିକ ପଦାର୍ଥ ଲଗାଯାଇଥିବାରୁ ତା’ର ଶରୀରର ଉପର ଅଂଶ ସାଙ୍ଘାତିକ ଭାବେ ପୋଡ଼ିଯାଇଛି। ମୁଣ୍ଡରେ ବୋଳା ଯାଇଥିବା ରାସାୟନିକ ପଦାର୍ଥଟି କ’ଣ ତାହା ଜାଣିବା ପାଇଁ ମଧ୍ୟ ଅନୁସନ୍ଧାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର