ଗୁଜରାଟ ନିର୍ବାଚନ: ୧୨ ବିଦ୍ରୋହୀ ନେତାଙ୍କୁ ନିଲମ୍ବନ କଲା ବିଜେପି, ପଟିଦାର ଭୋଟ୍‌ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଗୁଜରାଟ ବିଧା‌ନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ବିରୋଧରେ ବିଦ୍ରୋହ ବଢ଼ିଛି। ଟିକେଟ ପାଇନଥିବା ବିଜେପି ନେତାମାନେ ଦଳର ନିଷ୍ପତ୍ତି ବିରୋଧରେ ଯାଇ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ଏବଂ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପି ପ୍ରାୟ ୧୨ ଜଣ ବିଦ୍ରୋହୀ ନେତାଙ୍କୁ ନିଲମ୍ବନ କରିଛି। ନିଲମ୍ବିତ ହୋଇଥିବା ସମସ୍ତ ୧୨ ଜଣ ପ୍ରାର୍ଥୀ ଆଗାମୀ ନିର୍ବାଚନ ପାଇଁ ଟିକେଟ୍‌ ପାଇନାହାନ୍ତି। ଦଳ ଦେଇଥିବା ପ୍ରାର୍ଥୀଙ୍କ ବିରୋଧରେ ସେମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗୁଜରାଟ ବିଜେପି ‌ସଭାପତି ସିଆର ପାଟିଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଦ୍ରୋହୀ ନେତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଦଳ ବିରୋଧୀ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରାଯାଇଛି। ଉଲ୍ଲେଖଯୋଗ୍ୟ ‌‌‌ଯେ ଗୁଜରାଟରେ ମୋଟ୍‌ ୧୮୨ ଟି ଆସନ ପାଇଁ ଆସନ୍ତା ଡିସେମ୍ବର ୧ ଏବଂ ୫ ତାରିଖରେ ୨ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧ରେ ୮୯ ଆସନରେ ଭୋଟ୍‌ ଗ୍ରହଣ ହେବ ଏବଂ ଡିସେମ୍ବର ୫ରେ ୯୩ ଆସନରେ ଭୋଟ୍‌ ଗ୍ରହଣ ହେବ। ଡିସେମ୍ବର ୮ରେ ଫଳାଫଳ ଆସିବ।

ଅହମଦାବାଦ: ଆସନ୍ତା ଡିସେମ୍ବର ୧ ଏବଂ ୫ ତାରିଖରେ ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ପୂର୍ବରୁ ଗୁଜରାଟରେ ସବୁବେଳେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ହୋଇ ଆସିଛି। କିନ୍ତୁ ଚଳିତ ଥର ଆପ୍‌ ଗୁଜରାଟ ନିର୍ବାଚନ ମଇଦାନରେ ପ୍ରବେଶ କରିବା ସହ ରାଜ୍ୟରେ ତ୍ରିକୋଣୀୟ ଲଢ଼େଇ ହେଉଛି। ଚଳିତ ନିର୍ବାଚନରେ ପଟିଦାର ଭୋଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଗୁଜରାଟ ଜନସଂଖ୍ୟାର ୧୨ ପ୍ରତିଶତ ହେଉଛନ୍ତି ପଟିଦାର। ରାଜ୍ୟ ରାଜନୀତିରେ ପଟିଦାରଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ। ୨୦୧୭ରେ ବିଜେପି ଅନେକ ପଟିଦାର ବହୁଳ ଆସନରେ ଜିତିଥିଲା। ପ୍ରାୟ ୪୦ ପଟିଦାର ଆସନରୁ ବିଜେପି ୨୪ଟି ଆସନରେ ଜିତିଥିଲା। ବିରୋଧୀ କଂଗ୍ରେସ ଦଳ ମଧ୍ୟ ଗତ ନିର୍ବାଚନରେ ମୋଟ୍‌ ୧୫ଟି ପଟିଦାର ଆସନରେ ଜିତିଥିଲା। ସୌରାଷ୍ଟ୍ରରେ କଂଗ୍ରେସର ଭଲ ଦଖଲ ଥିବାବେଳେ ବିଜେପିର ଅହମଦାବାଦ ଏବଂ ଗାନ୍ଧିନଗରରେ ଅଧିକ ପ୍ରଭାବ ରହିଛି। ୨୦୧୨ ନିର୍ବାଚନରେ ବିଜେପି ପଟିଦାର ଆସନରୁ ୨୮ଟି ଆସନରେ ଜିତିଥିବା ବେଳେ କଂଗ୍ରେସକୁ ମାତ୍ର ୯ଟି ଆସନ ମିଳିଥିଲା। ତେବେ ୨୦୧୭ରେ ପଟିଦାର ସଂରକ୍ଷଣ ଆନ୍ଦୋଳନ କଂଗ୍ରେସ ସମର୍ଥନରେ ଗଲା। ପଟିଦାର ନେତା ହାର୍ଦ୍ଦିକ ପଟେଲ ପଟିଦାର ସମ୍ପ୍ରଦାୟରେ ‌କଂଗ୍ରେସ ପାଇଁ ଭୋଟ୍‌ ମାଗିଥିଲେ ଏବଂ ୨୦୧୬ରେ ହାର୍ଦ୍ଦିକ ବିଜେପିର ପଟିଦାର ଅଙ୍କ ବିଗାଡ଼ିଥିଲେ।

ଗତ ବିଧାନସଭା ନିର୍ବାଚନରେ ଗୁଜରାଟ ବିଧାନସଭାରେ ମୋଟ୍‌ ୪୪ ଜଣ ପଟିଦାର ବିଧାୟକ ଥିଲେ। କିନ୍ତୁ ଚଳିତ ଥର କଂଗ୍ରେସ ପାଇଁ ସ୍ଥିତି ଅଲଗା ରହିଛି। ହାର୍ଦ୍ଦିକ ପଟେଲ ଚଳିତ ବର୍ଷ ଆରମ୍ଭରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ହାର୍ଦ୍ଦିକ ପଟେଲଙ୍କୁ ବୀରମଗାମ ବିଧାନସଭା ଆସନରେ ପ୍ରାର୍ଥୀ କରିଛି। ବୀରମଗାମରେ ବର୍ତ୍ତମାନର କଂଗ୍ରେସ ବିଧାୟକ ଲଖଭାଇ ଭରୱାଡ଼ଙ୍କ ସହ ସେ ନିର୍ବାଚନ ଲଢ଼ୁଛନ୍ତି। ହାର୍ଦ୍ଦିକ ପଟେଲ ମଧ୍ୟ ପୂର୍ବରୁ କହିଛନ୍ତି ଯେ ‌କେନ୍ଦ୍ର ସରକାରଙ୍କ ୧୦ ପ୍ରତିଶତ ଇଡବ୍ଲ୍ୟୁଏସ୍‌ କୋଟା ସଂରକ୍ଷଣ ନିଷ୍ପତ୍ତି ଗୁଜରାଟରେ ପଟିଦାର ସମ୍ପ୍ରଦାୟର ଅନେକ ସମସ୍ୟାର ସମାଧାନ କରିଛି ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ହେବ ବୋଲି ଆମେ ନିଶ୍ଚିତ କରାଉଛୁ।

ସମ୍ବନ୍ଧିତ ଖବର