କଲମ୍ବିଆ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଉପରେ ଆଖିବୁଜା ଗୁଳିଚାଳନା କଲେ ଆକ୍ରମଣକାରୀ

ନୂଆଦିଲ୍ଲୀ: କଲମ୍ବିଆର ରାଷ୍ଟ୍ରପତି ଇଭାନ ଡୁକେଙ୍କ ହେଲିକପ୍ଟର ଉପରେ ଆଖିବୁଜା ଆକ୍ରମଣ କଲେ ଆକ୍ରମଣକାରୀ | ଖୋଦ ରାଷ୍ଟ୍ରପତି ଏବାବଦରେ ସୂଚନା ଦେଇ କହିଛନ୍ତି ଯେ ଭେନେଜୁଏଲା ସୀମାବର୍ତ୍ତୀ ଦକ୍ଷିଣ କାଟାଟୁମ୍ବୋରେ ତାଙ୍କୁ ଏବଂ ତାଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଉପରକୁ ଗୁଳି ଚଳାଇଥିଲା। ରାଷ୍ଟ୍ରପତିଙ୍କ ବିମାନ ଉପରେ ସିଧାସଳଖ ଆକ୍ରମଣର ଏହା ହେଉଛି ପ୍ରଥମ ଘଟଣା। ଡୁକେ କହିଛନ୍ତି ଯେ ହେଲିକପ୍ଟରରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି।

ଡୁକେଙ୍କ ବ୍ୟତୀତ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଡିଏଗୋ ମୋଲାନୋ, ଗୃହ ମନ୍ତ୍ରୀ ଡାନିଏଲ୍ ପାଲାସିଓସ୍ ଏବଂ ନର୍ଟେ ଡି ସେଣ୍ଟାଣ୍ଡର ରାଜ୍ୟପାଳ ସିଲଭାନୋ ସେରାନୋ ହେଲିକପ୍ଟରରେ ଥିଲେ। ରାଷ୍ଟ୍ରପତି ଏକ ବିବୃତ୍ତିରେ କହିଛନ୍ତି, “ମୁଁ ଦେଶକୁ ଜଣାଇବାକୁ ଚାହୁଁଛି ଯେ କାଟାଟୁମ୍ବୋରେ ସର୍ଦିନାଟଠାରେ ହେଲିକପ୍ଟର ଉପରେ ଆକ୍ରମଣ କରାଯାଇଥିଲା। ତେବେ ହେଲିକପ୍ଟରରେ ଲାଗିଥିବା ଅତ୍ୟାଧୁନିକ ଉପକରଣ ଯୋଗୁଁ ଏକ ବଡ ଦୁର୍ଘଟଣାକୁ ରୋକାଯାଇପାରିଥିଲା’। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ଭିଡିଓରେ କଲମ୍ବିଆର ବାୟୁସେନା ହେଲିକପ୍ଟରରେ ଅନେକ ଛିଦ୍ର ଦେଖାଯାଇଛି।

ଏହି ଆକ୍ରମଣ କେବେ ଘଟିଛି କିମ୍ବା କିଏ ଏହି ଆକ୍ରମଣ କରିଛି ତାହା ଡୁକେ କହି ନାହାଁନ୍ତି, କିନ୍ତୁ ଏହି ଅଞ୍ଚଳରେ ଅନେକ ସଶସ୍ତ୍ର ଗୋଷ୍ଠୀ ସକ୍ରିୟ ଥିବା ଜଣାପଡିଛି। ରାଷ୍ଟ୍ରପତି କହିଛନ୍ତି ଯେ ଏହି ଆକ୍ରମଣ ତାଙ୍କୁ ଡ୍ରଗ୍ କାରବାର, ଆତଙ୍କବାଦ ତଥା ସଂଗଠିତ ଅପରାଧ ବିରୋଧରେ ଲଢେ଼ଇରେ ବାଧା ଦେଇପାରିବ ନାହିଁ।

ସମ୍ବନ୍ଧିତ ଖବର