ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ନିଜର ବିଷର ଜ୍ବାଳା ବିଛାଇ ସାରିଥିବା କରୋନା ଭୂତାଣୁର ସଂକ୍ରମଣ ସମ୍ପର୍କିତ ଏକ ନୂତନ ତଥ୍ୟ ଏବେ ଚିକିତ୍ସା ବିଜ୍ଞାନୀମାନଙ୍କୁ ଅଧିକ ଚିନ୍ତାରେ ପକାଇଛି। ଏହି ଭୂତାଣୁ ଠାରେ ଦେଖାଦେଉଥିବା ଏକ ନୂତନ ପ୍ରକାର ଗୋଜ ରୂପାନ୍ତର ବା ସ୍ପାଇକ୍ ମ୍ୟୁଟେସନ୍ ହିଁ ଏହାକୁ ଅଧିକ ସଂକ୍ରମଣକ୍ଷମ କରିବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ଭାରତରେ ଦେଖାଦେଇଥିବା ବିଭିନ୍ନ ପ୍ରକାରର କରୋନା ଭୂତାଣୁମାନଙ୍କ ମଧ୍ୟରୁ ପଚାଶ ପ୍ରତିଶତ ହିଁ ଏପରି ଗୋଜ ରୂପାନ୍ତର କରିଥାନ୍ତି ବୋଲି ଜଣାଯାଇଛି। ସୁତରାଂ ଆମ ଦେଶରେ ଏହି ମହାମାରୀର ସଂକ୍ରମଣ ରୂପ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଆମେରିକାର ଲସ୍‌ ଆଲାମସ୍‌ ବିଜ୍ଞାନାଗାର ଦ୍ବାରା କରାଯାଇଥିବା ଗବେଷଣାରୁ ଏପରି ସତର୍କତାମୂଳକ ନିର୍ଯାସ ମିଳିପାରିଛି। ସେହି ଅନୁଧ୍ୟାନକାରୀମାନଙ୍କ ମଧ୍ୟରେ ଭାରତୀୟ ଗବେଷଣା ସଂସ୍ଥା ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚର ଗବେଷକ ଡା. ତନ୍ମୟ ଭଟ୍ଟାଚାର୍ଯ୍ୟ ମଧ୍ୟ ସାମିଲ ଥିଲେ। ଏହି କରୋନା ଭୂତାଣୁର ଗୋଜ ରୂପାନ୍ତର ବୁଝିବା ଆଗରୁ ଏହାର ଶରୀର ସମ୍ପର୍କରେ ସାମାନ୍ୟ ଧାରଣା ହେବା ଦରକାର।

Advertisment

publive-image

ଏହି ଭୂତାଣୁର ବାହ୍ୟ ଭାଗ ଏକ ବହଳ ଗୋଲାକାର ଝିଲ୍ଲୀ ଦ୍ବାରା ପରିବେଷ୍ଟିତ, ଯାହା ଉପରେ ଅସଂଖ୍ୟ ପ୍ରୋଟିନ୍‌ରେ ତିଆରି କୀଳା ବା ଗୋଜ ଭଳି ଉପାଦାନ ବାହାରକୁ ବାହାରିଥାଏ। ଅପରପକ୍ଷେ, ମନୁଷ୍ୟ ଜୀବକୋଷର ଉପରିଭାଗରେ ଏସିଇ–୨ ନାମକ ପ୍ରୋଟିନ୍‌ର କିଣ୍ବକ ବା ଏଞ୍ଜାଇମ୍ ରହିଥାଏ ଯାହା କି ପ୍ରାପକ ବା ରିସିପ୍ଟର ହିସାବରେ କରୋନା ଭୂତାଣୁକୁ ଆକ୍ରମଣ କରିବାରେ ସହାୟକ ହୋଇଥାଏ। କରୋନା ଭୂତାଣୁର ଏହି ପ୍ରୋଟିନ୍ କୀଳାଗୁଡ଼ିକ ଉକ୍ତ କିଣ୍ବନ ସହ ବାନ୍ଧି ହୋଇ ମନୁଷ୍ୟ ଜୀବକୋଷ ଭିତରକୁ ପଶି ଆର୍ଏନ୍ଏ ନାମକ ନିଜର ଜୈବିକ ଉପାଦାନକୁ ଛାଡି଼ଦେଇଥାଏ। ସେଠାରେ ମନୁଷ୍ୟ ଜୀବକୋଷର ଆଣବିକ ତନ୍ତ୍ର(ମଲିକ୍ୟୁଲାର ମେକାନିଜମ୍)କୁ ପାଥେୟ କରି ଏହି ଭୂତାଣୁ ନିଜକୁ ବହୁଗୁଣିତ କରିଚାଲେ। ତେବେ ଏହି ଭୂତାଣୁର ଗୋଜରେ ହେଉଥିବା ରୂପାନ୍ତର ପ୍ରକ୍ରିୟା ହିଁ ଗବେଷକମାନଙ୍କୁ ବିବ୍ରତ କରିଛି। ଡି୬୧୪ଜି ନାମକ ଏକ ବିଶେଷ ଧରଣର ଗୋଜ ରୂପାନ୍ତର ଉକ୍ତ ଭୂତାଣୁର ସଂକ୍ରମଣ କ୍ଷମତାକୁ ଅଧିକ ବଢ଼ାଇଥାଏ ବୋଲି ଡା.ଭଟ୍ଟାଚାର୍ଯ୍ୟ କହିଛନ୍ତି।

ଏହି ଧରଣର ରୂପାନ୍ତର ପ୍ରଥମେ ୟୁରୋପରେ ଦେଖାଦେଇଥିବା ବେଳେ ପରେ ଏହା ନୂତନ ଅ‌ଞ୍ଚଳକୁ ବ୍ୟାପୀ ସେଠାରେ ତାହା ସବୁଠୁ ପ୍ରଭାବଶାଳୀ ହୋଇଥିଲା। ଏ ପରିପ୍ରେକ୍ଷୀରେ ଆମ ଦେଶରେ ଦେଖାଦେଉଥିବା ଭୂତାଣୁମାନଙ୍କ ମଧ୍ୟରୁ ୮୨ ପ୍ରକାର ନମୁନାକୁ ନେଇ କରାଯାଇଥିବା ଅନୁଧ୍ୟାନରୁ ପ୍ରାୟ ୫୦ ପ୍ରତିଶତ କରୋନା ଭୂତାଣୁ ଏହି ବିଶେଷ ଧରଣର ଗୋଜ ରୂପାନ୍ତର କରିଥାନ୍ତି ବୋଲି ଜଣାଯାଇଛି। ତେଣୁ ଏଥିଯୋଗୁଁ ସଂକ୍ରମଣର ବ୍ୟାପକତା ବଡ଼ିବ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷେ, ବର୍ତ୍ତମାନ ପ୍ରସ୍ତୁତି ଅପେକ୍ଷାରେ ଥିବା ବିଭିନ୍ନ କରୋନା ଟିକା ଉପରେ ଏହି ଗୋଜ ରୂପାନ୍ତରର ପ୍ରଭାବ ପଡି଼ବ କି ନାହିଁ ତାହା ଜଣାପଡି଼ନାହିଁ।