ଏପ୍ରିଲ୍ ୨୦ ଯାଏଁ ଦେଶରେ ଲକ୍‌ଡାଉନ୍‌ ବ୍ୟବସ୍ଥା ଆଗ ଅ‌ପେକ୍ଷା କଠୋର ହେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଗାମୀ ଏକ ସପ୍ତାହ ଅର୍ଥାତ୍ ଏପ୍ରିଲ୍ ୨୦ ଯାଏଁ ଦେଶରେ ଲକ୍‌ଡାଉନ୍‌ ବ୍ୟବସ୍ଥା ଆଗ ଅ‌ପେକ୍ଷା ଅଧିକ କଠୋର ହେବ ବୋଲି ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ଏଥର ବି ଲକଡାଉନରେ ପୂର୍ବବତ୍ କଟକଣା ପାଳନ କରିବା। ସମସ୍ତ ଦେଶବାସୀଙ୍କୁ ମ‌ୋର ନିବେଦନ ଏବେ କରୋନାଭାଇରସ୍‌କୁ ଆମେ କୌଣସି ମତେ ନୂଆ ଅଞ୍ଚଳରେ ସଂକ୍ରମଣ କରାଇ ଦେବାନାହିଁ। ଆଞ୍ଚଳିକ ସ୍ତରରେ ଗୋଟିଏ ବି ରୋଗୀ ବଢ଼ିବା ଆମ ପାଇଁ ଚିନ୍ତାର କାରଣ ହେବା ଉଚିତ। କେଉଁଠି ବି କରୋନାଭାଇରସ୍ ଜନିତ ଜଣେ ରୋଗୀଙ୍କର ଦୁଃଖଦ ମୃତ୍ୟୁହେଲେ ଆମ ଚିନ୍ତା ଆହୁରି ବଢ଼ିବା ଉଚିତ।

ତେଣୁ,  ଏଥିପାଇଁ ଆମକୁ ହଟ୍‌ସ୍ପଟ୍‌କୁ ଚିହ୍ନଟ କରି ପୂର୍ବାପେକ୍ଷା ଖୁବ୍ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ହଟ୍‌ସ୍ପଟ୍‌ ହେବାର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ନୂଆ ହଟ୍‌ସ୍ପଟ୍‌ ସୃଷ୍ଟି ହେଲେ ଆମର ପରିଶ୍ରମ ଓ ତପସ୍ୟାକୁ ପୁଣି ଆହ୍ବାନ ଦେବ। ନୂଆ ସଙ୍କଟ ସୃଷ୍ଟି କରିବ। ଏଥିପାଇଁ ଆଗାମୀ ୧ ସପ୍ତାହ ପାଇଁ କରୋନାଭାଇରସ୍ ଲଢ଼େଇରେ କଠୋରତା ଆହୁରି ଅଧିକ ବଢ଼ାଇ ଦିଆଯିବ। ଏପ୍ରିଲ୍ ୨୦ ତାରିଖ ଯାଏଁ ପ୍ରତ୍ୟେକ କସ୍‌ବା, ଥାନା, ଜିଲ୍ଲା ଓ ରାଜ୍ୟକୁ ମାପଦଣ୍ଡରେ ପରୀକ୍ଷା କରାଯିବ। ସେ ସବୁ ଅଞ୍ଚଳରେ ଲକ୍‌ଡଉନ୍‌ କିଭଳି ପାଳନ କରାଯାଉଛି, ସେ ଅଞ୍ଚଳ କରୋନାଭାଇରସ୍‌ରୁ ନିଜକୁ କେତେ ପରିମାଣରେ ସୁରକ୍ଷିତ ରଖିଛି ତହାର କ୍ରମାଗତ ମୂଲ୍ୟାଙ୍କନ କରାଯିବ। ଯେଉଁ ଅଞ୍ଚଳ ଏହି ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେ ଅଞ୍ଚଳରୁ ୨୦ ଏପ୍ରିଲରୁ କିଛି ଜରୁରୀ କାର୍ଯ୍ୟକଳାପ ନିମନ୍ତେ କଟକଣା ଉଠାଯିବ। ତାହା ହେଲା କେଉଁମାନେ ନିଜ ଅଞ୍ଚଳରେ ହଟ୍‌ସ୍ପଟ୍ ବଢ଼ାଇ ଦେବେ ନାହିଁ ଓ  ହଟସ୍ପଟ୍ ବଢ଼ିବା ଆଶଙ୍କା କମ୍‌ ରହିବ ସେଠାରେ ଏହି ଅନୁମତି ମିଳିବ। କିନ୍ତୁ, ମନେରଖିବା ଉଚିତ ଯେ ଏହି କୋହଳ ସର୍ତ୍ତଯୁକ୍ତ ହେବ। ବାହାରକୁ ଯିବା ନିୟମ ବହୁତ କଠୋର ହେବ। ଲକ୍‌ଡାଉନ୍‌ ନିୟମ ଯଦି ଭାଙ୍ଗେ ଆଉ କରୋନାଭାଇରସ୍‌ର ପାଦ ସେ ଅଞ୍ଚଳରେ ପଡ଼େ ସମସ୍ତ ଅନୁମତି ତୁରନ୍ତ ସେଠାରୁ ଫେରାଇ ନିଆଯିବ।

ତେଣୁ, ନିଜେ ବପେରୁଆ ହୁଅନ୍ତୁ ନାହିଁ କି, ଅନ୍ୟକୁ ବେପରୁଆ କରାଇ ଦିଅନ୍ତିୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

ଆସନ୍ତାକାଲି ଏ ବିଷୟରେ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର