ହରିୟାଣା: କଂଗ୍ରେସର ଅନାସ୍ଥା ପ୍ରସ୍ତାବ କାଟ ଖାଇଲା

ସରକାରଙ୍କ ସମର୍ଥନରେ ୫୫ ‌ଭୋଟ୍‌, ବିରୋଧରେ ୩୨

ଚଣ୍ଡିଗଡ଼: ହରିୟାଣା ବିଧାନସଭାରେ ଆଜି କଂଗ୍ରେସ ପାର୍ଟି ପକ୍ଷରୁ ବିଜେପି-ଜେଜେପି ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ କାଟ ଖାଇଛି। ସରକାରକୁ ୫୫ ଜଣ ବିଧାୟକଙ୍କ ସମର୍ଥନ ମିଳିଥିବା ବେଳେ ମେଣ୍ଟ ସରକାର ବିରୋଧରେ ୩୨ଟି ଭୋଟ୍‌ ପଡ଼ିଥିଲା। ଏହାପରେ ବିଧାନସଭା ବାଚସ୍ପତି ଜ୍ଞାନଚାନ୍ଦ ଗୁପ୍ତା ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଚାଷୀ ଆନ୍ଦୋଳନକୁ ନେଇ ତୀବ୍ର ଅସନ୍ତୋଷ ଭିତରେ ଅନାସ୍ଥା ପ୍ରସ୍ତାବ ବିରୋଧରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ୫୫ ବିଧାୟକଙ୍କ ସମର୍ଥନ ହାସଲ କରିବା ବିଜେପି ପାଇଁ ଆଶ୍ବସ୍ତିର କାରଣ ହୋଇଛି ।

ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଖଟ୍ଟର କହିଛନ୍ତି ଯେ ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ଶାସନରେ ଅସ୍ଥିରତା ସୃଷ୍ଟି କରିବାକୁ କଂଗ୍ରେସ ଦଳ ଯେଉଁ ପ୍ରୟାସ ଚଳାଇଛି ସେଥିରେ କଦାପି ସଫଳ ହୋଇପାରିବ ନାହିଁ। ଆମ ସହିତ ଲୋକଙ୍କ ଆସ୍ଥା ରହିଛି ବୋଲି ଖଟ୍ଟର କହିଛନ୍ତି। ଅନାସ୍ଥା ପ୍ରସ୍ତାବ ଆଗତ କରି ବିରୋଧୀ ଦଳ ନେତା ଭୂପେନ୍ଦ୍ର ସିଂହ ହୁଦା କହିଥିଲେ ଯେ ଶାସକ ଦଳ ଲୋକଙ୍କ ସହିତ ପ୍ରତାରଣା କରିଛି। ସରକାର ରାଜ୍ୟର ଚାଷୀମାନଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି ଏବଂ ଚାଷୀମାନେ ଏବେ ରାସ୍ତାରେ ବସିଛନ୍ତି। ଏହି ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛି ବୋଲି ସେ କହିଥିଲେ। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଏବେ ୮୮ ସଦସ୍ୟ ଅଛନ୍ତି। ଏଥିରୁ ବିଜେପିର ୪୦ ସଦସ୍ୟ ଥିବା ବେଳେ ଜେଜେପିର ୧୦ ଜଣ ସଦସ୍ୟ ଅଛନ୍ତି। କଂଗ୍ରେସର ବିଧାୟକ ସଂଖ୍ୟା ହେଉଛି ୩୦। ୭ ଜଣ ସ୍ବାଧୀନ ଏବଂ ହରିୟାଣା ଲୋକହିତ ପାର୍ଟିର ଜଣେ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର