ଚଣ୍ଡିଗଡ଼: ହରିୟାନା ପୁଲିସକୁ ଦୀର୍ଘ ୩୮ ଦିନ ଧାଁ ଦଉଡ଼ କରାଇବା ପରେ ଗୁର୍ମୀତ୍ ରାମ୍ ରହିମ୍ ସିଂହଙ୍କ ଦେବକନ୍ୟା ହନିପ୍ରୀତ୍ ଇନ୍ସାନ୍ ଏବେ ସେମାନଙ୍କୁ ଉଜାଗର ରଖୁଛନ୍ତି। ଦୁଇ ଦୁଇ ରାଉଣ୍ଡ୍ ପଚରା ଉଚୁରା କରିବା ପରେ ମଧ୍ୟ ସେମାନେ ହନିପ୍ରୀତ୍ଙ୍କଠାରୁ କୌଣସି ପ୍ରଶ୍ନର ଉତ୍ତର ଆଦାୟ କରି ପାରୁ ନାହାନ୍ତି।
ହନିପ୍ରୀତ୍ଙ୍କୁ ସମୁଦାୟ ୪୦ଟି ପ୍ରଶ୍ନ ପଚରା ଯାଇଥିଲା। ବିଫଳ ଫେରାର ଯୋଜନା ବ୍ୟତିରେକେ ପଞ୍ଚକୂଳା ହିଂସାରେ ତାଙ୍କର ଭୂମିକା ସଙ୍କ୍ରାନ୍ତ ପ୍ରଶ୍ନ ସେଥିରେ ଅନ୍ତର୍ଭୁକ୍ତ ଥିଲା। ୧୩ଟି ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେବା ପାଇଁ ମନା କରିବା ଛଡ଼ା ସେ ଦେଇ ଥିବା ବାକି ୨୭ଟି ପ୍ରଶ୍ନର ଉତ୍ତର ଥିଲା ନକାରାତ୍ମକ ଏବଂ ଗୋଳମାଳିଆ।
ପଚରା ଉଚୁରା ସମୟରେ ପୁଲିସ କେବଳ ଦୁଇଟି ପ୍ରଶ୍ନର ଉତ୍ତର ପାଇବାରେ ସମର୍ଥ ହୋଇଛି। ହନିପ୍ରୀତ୍ ସ୍ୱୀକାର କରିଛନ୍ତି ଯେ ସେ ଯୋଗାଯୋଗ ନିମନ୍ତେ ହ୍ଵାଟ୍ସ୍ଆପ୍ ଚାଟ୍ ଆପ୍ଲିକେସନ୍ ବ୍ୟବହାର କରି ଡକ୍ଟର ଆଦିତ୍ୟ ଇନ୍ସାନ୍ ଭଳି ଡେରା ସହଯୋଗୀମାନଙ୍କ ସହ କଥାବାର୍ତ୍ତା କରିଥିଲେ।
ଡେରା ଯାନବାହନରେ କାହିଁକି ବେଆଇନ୍ ଅସ୍ତ୍ରଶସ୍ତ୍ର ପରିବହନ କରାଯାଉଥିଲା, ସିର୍ସାରେ କାହିଁକି ଡେରା ଗାଡ଼ିଘୋଡ଼ା ପୋଡ଼ି ଦିଆ ଗଲା, ଡେରା ଗୁଣ୍ଡାଙ୍କୁ କିଏ ପାଞ୍ଚ କୋଟି ଟଙ୍କା ଦେଲା, ସେ ଦୀର୍ଘ ୩୮ ଦିନ କାଳ ନିରୁଦ୍ଦେଶ ଥିବାବେଳେ ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍ର ନମ୍ବର୍, ସିମ୍ କାର୍ଡ ଏବଂ ଇଣ୍ଟର୍ନ୍ୟାସ୍ନାଲ୍ ସିମ୍ କାର୍ଡ ଆଦି ତାଙ୍କୁ କିଏ ଯୋଗାଇଲା ଆଦି ପ୍ରଶ୍ନର ଉତ୍ତର ଦେବାକୁ ସେ ମନା କରି ଦେଇ ଥିଲେ। ପ୍ରକାଶଯୋଗ୍ୟ, ହନିପ୍ରୀତ୍ ଏ ସମୟ ମଧ୍ୟରେ ୧୭ଟି ସିମ୍ କାର୍ଡ ବ୍ୟବହାର କରିଥିଲେ। ସେଥିରେ ତିନୋଟି ଇଣ୍ଟର୍ନ୍ୟାସ୍ନାଲ୍ ସିମ୍ କାର୍ଡ ଅନ୍ତର୍ଭୁକ୍ତ।
ତାଙ୍କ ବିରୋଧରେ ଲାଗୁ ହୋଇଥିବା ଚାର୍ଜ ବିଷୟରେ ହନିପ୍ରୀତ୍ କିଛି ନ ଜାଣିଥିବାର ଛଳନା କରିଥିଲେ। ଏ ପର୍ଯ୍ୟନ୍ତ ସମସ୍ତ ଅନୁସନ୍ଧାର ଉତ୍ତର ଦେବାକୁ ସେ ଅସଫଳ ହୋଇଛନ୍ତି। ମାମଲା ସଙ୍କ୍ରାନ୍ତରେ ପଚରା ଉଚୁରା ଚାଲୁ ରହିବ ଏବଂ ଏଥି ନିମନ୍ତେ ଯଦି ୬ ଦିନିଆ ରିମାଣ୍ଡ୍ ଯଥେଷ୍ଟ ନ ହୁଏ, ପୁଲିସ ରିମାଣ୍ଡ୍ର ଅବଧି ବଢ଼ାଇ ପାରେ। ଏହା ବ୍ୟତିରେକେ ପୁଲିସ୍ ହନିପ୍ରୀତ୍ଙ୍କର ନାର୍କୋ ଟେଷ୍ଟ୍ କରାଇବାକୁ ଅଦାଲତକୁ ଅନୁମତି ଦେବା ନିମନ୍ତେ ଅନୁରୋଧ କରି ପାରେ ବୋଲି ପଞ୍ଚକୂଳା ପୁଲିସ କମିସନର୍ ଏଏସ୍ ଚାଓ୍ଵଲା କହିଛନ୍ତି।
୬ ଦିନିଆ ପୁଲିସ ରିମାଣ୍ଡ୍ ପାଇବା ପରେ ଗୁରୁବାର ଦିନ ପୁଲିସ ହନିପ୍ରୀତ୍ଙ୍କୁ ପଞ୍ଜାବର କେତେକ ସହର ଏବଂ ଗାଁ’ଗଣ୍ଡାକୁ ନେଇଥିଲେ। ନିରୁଦ୍ଦେଶ ଥିବା ୩୮ ଦିନ କାଳ ହନିପ୍ରୀତ୍ ସେହି ଅଞ୍ଚଳଗୁଡ଼ିକରେ ଅବସ୍ଥାନ କରିଥିବା ପ୍ରକାଶ।
ହନିପ୍ରୀତ୍ଙ୍କୁ ସଙ୍ଗ୍ରୁର୍ ନିକଟସ୍ଥ ଭବାନୀଗଡ଼, ତାପକ୍ ମଣ୍ଡି, ରାମପୁର ଏବଂ ନିଜ ମାମୁଙ୍କ ସହ ଚାରି ଦିନ ରହିଥିବା ବଥିଣ୍ଡା (ଗଣେଶ ନଗର)କୁ ନିଆ ଯାଇଥିଲା।
ଗୁର୍ମୀତ୍ ରାମ୍ ରହିମ୍ଙ୍କ ଡ୍ରାଇଭର୍ ଇକ୍ବାଲ୍ ସିଂହଙ୍କ ପତ୍ନୀ ତଥା ହନିପ୍ରୀତ୍ଙ୍କ ସହଯୋଗୀ ସୁଖଦୀପ୍ କୌର୍ଙ୍କୁ ମଧ୍ୟ ବଥିଣ୍ଡା ନିଆ ଯାଇଥିଲା।
ସ୍ଥାନୀୟ ଲୋକେ କହୁଛନ୍ତି କି, ଗୋଟିଏ ଦଶନ୍ଧି ତଳେ ସେ ପରିବାର ଡେରା ମୁଖ୍ୟାଳୟକୁ ଉଠି ଯାଇ ଥିଲେ। ସୁଖଦୀପଙ୍କୁ ହନିପ୍ରୀତ୍ଙ୍କ ଇନ୍ସାନ୍ଙ୍କ ସହ ଜିରାକ୍ପୁର ସହରରୁ ଗିରଫ କରାଯାଇଥିଲା। ସୁଖଦୀପ ଏକ ଇନୋଭା ଗାଡ଼ି ଚଳାଉଥିଲେ।