କୌଣସି ଭାରତୀୟ ସୈନିକଙ୍କୁ ବନ୍ଧକ ରଖିନାହୁଁ : ଚୀନ

ନୂଆଦିଲ୍ଲୀ : ଚୀନ ସେନା ଦ୍ୱାରା ବନ୍ଧକ ରଖାଯାଇଥିବା ୧୦ ଭାରତୀୟ ଯବାନ ଓ ଅଫିସରଙ୍କୁ ଆଜି ମୁକ୍ତ କରାଯିବା ଘଟଣାକୁ ନେଇ ସଂଦେହ ପ୍ରକାଶ ପାଇଛି । କାରଣ ଉଭୟ ଭାରତୀୟ ସେନା ଓ ଚୀନ ଏପରି ଖବରକୁ ଖଣ୍ଡନ କରିଛନ୍ତି ।

ଗତକାଲି ଭାରତୀୟ ସେନା କହିଥିଲା ଯେ କୌଣସି ଯବାନ ବା ଅଫିସର ନିଖୋଜ ନାହାନ୍ତି । ତେବେ ଆଜି ସକାଳେ ଭାରତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଲା ଯେ ଦୁଇଦେଶର ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ବନ୍ଧକ ରଖାଯାଇଥିବା ୪ ଅଫିସର ଓ ୬ ଯବାନଙ୍କୁ ମୁକ୍ତ କରାଯାଇଛି । ବିଶ୍ୱସ୍ତ ସୁତ୍ରକୁ ଉଦ୍ଧାର କରି ଏହି ରିପୋର୍ଟ ପ୍ରକାଶ ପାଇଥିଲା । ଭାରତୀୟ ଗଣମାଧ୍ୟମର ଏହି ରିପୋର୍ଟ ସମଗ୍ର ବିଶ୍ୱର ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହେଲା ।

 

କିନ୍ତୁ କୌଣସି ଭାରତୀୟ ଯବାନଙ୍କୁ ବନ୍ଧକ ରଖାଯାଇନାହିଁ ବୋଲି ଚୀନ ପକ୍ଷରୁ କିଛି ସମୟ ପୂର୍ବରୁ କୁହାଯାଇଛି । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି ଯେ ଚୀନ ସେନା କୌଣସି ଭାରତୀୟ ସୈନିକଙ୍କୁ ବନ୍ଧକ ରଖିନାହିଁ । ଦୈନିକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ ଏକଥା କହିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଯଦି ଉଭୟ ଭାରତୀୟ ସେନା ଓ ଚୀନ ଏକଥା ସ୍ୱୀକାର କରୁନାହାନ୍ତି, ତେବେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହି ଖବର କେଉଁଠୁ ପାଇଲେ ?

ସମ୍ବନ୍ଧିତ ଖବର