ସୁପ୍ରିମ୍‌କୋର୍ଟରେ ହିଜାବ ମାମଲାର ଶୁଣାଣି

‘ପିନ୍ଧିବାର ଅଧିକାର ଭିତରେ ଖୋଲିବାର ଅଧିକାର ଅନ୍ତର୍ଭୁକ୍ତ’: ଜଷ୍ଟିସ୍ ଗୁପ୍ତ

ନୂଆଦିଲ୍ଲୀ : ହିଜାବ ବାବଦରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଆବେଦନ ଉପରେ ବୁଧବାର ଶୁଣାଣି ଚାଲିଥିବା ବେଳେ ଜଷ୍ଟିସ୍ ହେମନ୍ତ ଗୁପ୍ତ ଓ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କେତେକ ଗୁରୁତ୍ବପୂର୍ଣ୍ଣ ମତ ପ୍ରକାଶ କରିଥିଲେ। ଉକ୍ତ ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ଗୁପ୍ତ ଶିକ୍ଷାୟତନରେ ହିଜାବ ପିନ୍ଧିବାର ଅଧିକାର ସପକ୍ଷରେ ଯୁକ୍ତି କରୁଥିବା ଓକିଲଙ୍କୁ ପଚାରିଥିଲେ, ‘‘ପୋଷାକ ପିନ୍ଧିବାର ଅଧିକାର ଭିତରେ ପୋଷାକ ଓହ୍ଲାଇ ଦେବାର ଅଧିକାର ବି ତ ଅଛି?’’

ଓକିଲ ଦେବଦତ୍ତ କମାତ ଉତ୍ତର ଦେଇଥିଲେ, ‘ସ୍କୁଲରେ କେହି ପୋଷାକ ଓହ୍ଲାନ୍ତି ନାହିଁ।’ ଜଷ୍ଟିସ୍ ଗୁପ୍ତ କହିଥିଲେ, ସମସ୍ୟା ହେଉଛି କେବଳ ଗୋଟିଏ ସମ୍ପ୍ରଦାୟ ହିଜାବ ପିନ୍ଧିବାକୁ ଜିଦ୍ କରୁଛି, ଯେତେବେଳେ କି ଅନ୍ୟ ସବୁ ସମ୍ପ୍ରଦାୟ ଡ୍ରେସ୍ କୋଡ୍‌ର ଅନୁପାଳନ କରୁଛନ୍ତି। ତା’ପରେ କମାତ କହିଥିଲେ ଯେ ବହୁ ଛାତ୍ର ରୁଦ୍ରାକ୍ଷ ବା ଧାର୍ମିକ କ୍ରସ୍ ଚିହ୍ନ ପିନ୍ଧୁଛନ୍ତି। ବିଚାରପତି କହିଥିଲେ, ତାହା ତ ଜାମା ତଳେ ପିନ୍ଧାଯାଉଛି। କେହି ସାର୍ଟ ଟେକି ସେ କେଉଁଠି ରୁଦ୍ରାକ୍ଷ ପିନ୍ଧିଛି ତାକୁ ଦେଖୁନାହାନ୍ତି। ଆପଣଙ୍କର ଯେକୌଣସି ଧାର୍ମିକ ପରମ୍ପରା ମାନିବାର ଅଧିକାର ଅଛି। କିନ୍ତୁ ତାହା କ’ଣ ସ୍କୁଲରେ କରିବେ ଯେଉଁଠି ୟୁନିଫର୍ମ ପିନ୍ଧିବାର ନିୟମ ଅଛି? ପୂର୍ବରୁ ହାଇକୋର୍ଟ ରାୟ ଦେଇଥିଲେ ଯେ ହିଜାବ ଧାର୍ମିକ ଅଭ୍ୟାସର ଏକ ଅତ୍ୟାବଶ୍ୟକ ଅଙ୍ଗ ନୁହେଁ, ଯାହାକୁ ସମ୍ବିଧାନ ଦ୍ବାରା ସୁରକ୍ଷିତ ରଖାଯାଇପାରିବ। ଏହି ମାମଲାର ଶୁଣାଣି ଆସନ୍ତାକାଲି ମଧ୍ୟ ଜାରି ରହିବ।

ସମ୍ବନ୍ଧିତ ଖବର