ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନ ସମର୍ଥକଙ୍କ ଟାର୍ଗେଟ୍

ବ୍ରିସବେନ : ଅଷ୍ଟ୍ରେଲିଆରେ ହିନ୍ଦୁମନ୍ଦିରଗୁଡିକ ଉପରେ ଖଲିସ୍ତାନ ସମର୍ଥକଙ୍କ ଆକ୍ରମଣ ଜାରି ରହିଛି । ବ୍ରିସବେନର ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଶନିବାର ଦିନ ଖଲିସ୍ତାନ ସମର୍ଥକମାନେ ଭଙ୍ଗାରୁଜା କରିଛନ୍ତି। ମନ୍ଦିରର ସଭାପତି ସତିନ୍ଦର ଶୁକ୍ଳା କହିଛନ୍ତି, ଆଜି ସକାଳେ ମନ୍ଦିରର ପୂଜକ ଓ ଶ୍ରଦ୍ଧାଳୁମାନେ ମୋତେ ଫୋନ୍ କରି ମନ୍ଦିରର ସୀମା ପାଚେରି କ୍ଷତିଗ୍ରସ୍ତ ହୋଇଥିବା ବିଷୟରେ ଜଣାଇଥିଲେ।

ହିନ୍ଦୁ ମାନବାଧିକାର ସଂଗଠନର ନିର୍ଦ୍ଦେଶକ ସାରା ଗେଟ୍ସ କହିଛନ୍ତି ଯେ ସଦ୍ୟତମ ଭଙ୍ଗାରୁଜା ହେଉଛି ଅଷ୍ଟ୍ରେଲୀୟ ହିନ୍ଦୁମାନଙ୍କୁ ଆତଙ୍କିତ କରିବାର ପ୍ରୟାସ। ଏହି ସଦ୍ୟତମ ଘଟଣା ବିଶ୍ୱସ୍ତରରେ ‘ଶିଖ୍ ଫର୍ ଜଷ୍ଟିସ୍’ର ପକ୍ଷରୁ କରାଯାଇଛି, ଯାହା ସ୍ପଷ୍ଟ ଭାବରେ ଅଷ୍ଟ୍ରେଲୀୟ ହିନ୍ଦୁମାନଙ୍କୁ ଆତଙ୍କିତ କରିବାର ଏକ ପ୍ରୟାସ। ଗେଟ୍ସ କହିଛନ୍ତି, ଖାଲିସ୍ତାନ ସମର୍ଥକ ଅଷ୍ଟ୍ରେଲୀୟମାନେ ହିନ୍ଦୁ ସମ୍ପ୍ରଦାୟକୁ ଆତଙ୍କିତ କରୁଛନ୍ତି ।

ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜାର ଏହା ଚତୁର୍ଥ ଘଟଣା। ଗତ ଜାନୁଆରୀ ୨୩ ତାରିଖରେ ମେଲବର୍ଣ୍ଣର ଆଲବର୍ଟ ପାର୍କରେ ଥିବା ଐତିହାସିକ ଇସ୍କନ ମନ୍ଦିରର କାନ୍ଥରେ ‘ହିନ୍ଦୁସ୍ତାନ ମୁର୍ଦାବାଦ’ ଲେଖା ଯାଇଥିଲା। ଗତ ଜାନୁଆରୀ ୧୬ ତାରିଖରେ ଭିକ୍ଟୋରିଆର କାରୋମ୍ ଡାଉନ୍ସରେ ଥିବା ଐତିହାସିକ ଶ୍ରୀ ଶିବ ବିଷ୍ଣୁ ମନ୍ଦିରରେ ମଧ୍ୟ ଅନୁରୂପ ଭାବେ ଭଙ୍ଗାରୁଜା କରାଯାଇଥିଲା। ଗତ ଜାନୁଆରୀ ୧୨ ତାରିଖରେ ମେଲବର୍ନର ସ୍ୱାମୀନାରାୟଣ ମନ୍ଦିରକୁ ଅସାମାଜିକ ତତ୍ତ୍ୱମାନେ ଭାରତ ବିରୋଧୀ ସ୍ଲୋଗାନ ଦେଇ ଅପମାନିତ କରିଥିଲେ ।

 

ସମ୍ବନ୍ଧିତ ଖବର