ଭୂସ୍ଖଳନରେ ୨ ମୃତ; ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସାହାଯ୍ୟ ପାଇଁ ପ୍ରତିଶ୍ରୃତି ଦେଲେ ଅମିତ ଶାହା

କିନ୍ନୌର: ହିମାଚଳ ପ୍ରଦେଶର କିନ୍ନୌର ସହରରେ ହୋଇଥିବା ଭୂସ୍ଖଳନରେ ଦୁଇ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ହିମାଚଳ ପ୍ରଦେଶ ଜରୁରିକାଳୀନ ଅପରେସନ୍ କେନ୍ଦ୍ର ସୂଚନା ଦେଇଛି।

ଆଇଟିବିପି ସୂତ୍ରରୁ ପ୍ରକାଶ ଯେ ଏକ ବସ୍ ସମେତ ଚାରିଟି ଗାଡି ମାଟି ଅତଡ଼ା ତଳେ ଫସି ରହିଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ ଏହି ଘଟଣାରେ ୫୦ରୁ ୬୦ଜଣ ମାଟି ଅତଡ଼ା ତଳେ ଫସି ରହିଛନ୍ତି। ଯେଉଁମାନଙ୍କୁ ଯୁଦ୍ଧକାଳିନ ଭିତ୍ତିରେ ଉଦ୍ଧାର କରାଯାଉଛି।

 

ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ  ଜୟରାମ ଠାକୁରଙ୍କ ସହ କିନ୍ନୌର ଭୂସ୍ଖଳନ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ପକ୍ଷରୁ ସମସ୍ତ ସାହାଯ୍ୟ ପାଇଁ ପ୍ରତିଶ୍ରୃତି ଦେଇଛନ୍ତି।

ଅମିତ ଶାହା ଟୁଇଟ୍ କରି କହିଛନ୍ତି, “ଆଇଟିବିପି [ଇଣ୍ଡୋ ତିବ୍ଦତୀୟ ସୀମା ପୁଲିସ] ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୂସ୍ଖଳନର ଶିକାର ହୋଇଥିବା ଯାତ୍ରୀଙ୍କ ଜୀବନ ରକ୍ଷା କରିବା ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଆଇଟିବିପି ଏବଂ ସ୍ଥାନୀୟ ପ୍ରଶାସନର ପ୍ରାଥମିକତା ଅଟେ।”

 

ଉଲ୍ଲେଖଯୋଗ୍ୟ, ଭୂସ୍ଖଳନ ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ବଡ଼ ପଥର ଖଣ୍ଡ ସବୁ ଖସିବାକୁ ଲାଗିଥିଲା। ଏହି ମାଟି ଅତଡ଼ା ତଳେ ଗୋଟିଏ ବସ୍ , ଟ୍ରକ ଓ ଏକାଧିକ କାର୍ ଫସି ରହିଥିଲା।  ଭୂସ୍ଖଳନର ଶିକାର ହୋଇଥିବା ବସ ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି କିନ୍ନୌରରୁ ହରିଦ୍ୱାର ଯାଉଥିଲା। ଭୂସ୍ଖଳନ ହେତୁ ବସରେ ପଥର ଖଣ୍ଡ ମାଡ଼ ହେବା ପରେ ଏହା ସଂପୂର୍ଣ୍ଣ ଭାବେ ମାଟି ତଳେ ପୋତି ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର