ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଆନ୍ଦୋଳନ ଥମିବା ପରିବର୍ତ୍ତେ ବ୍ୟାପୁଛି: ରାଜ୍ୟ ସରକାରମାନଙ୍କୁ ‘ଆଡ୍‌ଭାଇଜରି’ ଜାରିକଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବା ପରିବର୍ତ୍ତେ କ୍ରମେ ଅଧିକରୁ ଅଧିକ ଉଗ୍ର ହେବାସହ ହିଂସାତ୍ମକ ରୂପ ନେଇ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିବା ଘଟଣା କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼ିଛି। ଏ ପରିସ୍ଥିତିରେ ଆଜି ଅପରାହ୍ଣରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଦେଶର ପ୍ରତ୍ୟେକ ରାଜ୍ୟର ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ନିକଟକୁ ଏକ ପରାମର୍ଶମୂଳକ ସୂଚନା ବା ‘ଆଡ୍‌ଭାଇଜରି’ ଜାରି କରାଯାଇଛି।

Latestly

ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ‘ଆଡ୍‌ଭାଇଜରି’ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ପରାମର୍ଶ ଦିଆଯାଇ କୁହାଯାଇଛି ଯେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ନେଇ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିବାକୁ ଆରମ୍ଭ କରିଛି। ତେଣୁ, ଯେଉଁ ସବୁ ନୂତନ ରାଜ୍ୟରେ ସିଏଏକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ ସେଠାରେ ସଂପୃକ୍ତ ରାଜ୍ୟ ସରକାରମାନେ ଆନ୍ଦୋଳନକାରୀମାନଙ୍କ ଉପରେ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆନ୍ଦୋଳନ ଆଉ ଅଧିକ ବ୍ୟାପିବା ପୂର୍ବରୁ ତାକୁ ସେଇଠାରେ ହିଁ ପ୍ରଶମିତ କରିବା ସହ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନିଜ ଆୟତ୍ତରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

ଆନ୍ଦୋଳନକାରୀଙ୍କ ହିଂସାରେ ଯେପରି କୌଣସି ଜାତୀୟ ସଂପତ୍ତି ନଷ୍ଟ ନହୁଏ ସେଥିପ୍ରତି ମଧ୍ୟ ବିଶେଷ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ।

ସମ୍ବନ୍ଧିତ ଖବର