ହୁକା ଟାଣିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉନାହିଁ, ଦିଲ୍ଲୀରେ ବନ୍ଦ ହେବନି ହୁକା ବାର : ଗ୍ରୀନ ଟ୍ରିବୁନାଲ

ନୂଆଦିଲ୍ଲୀ : ହୁକା ଟାଣିବା ଦ୍ୱାରା ପରିବେଶ ପ୍ରଦୂଷଣ ହୁଏ ନାହିଁ । ଏଣୁ ଦିଲ୍ଲୀରେ ହୁକ୍କା ବାର ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ । ହୁକାବାର ଦ୍ୱାରା ପ୍ରଦୂଷଣ ବଢୁଛି ଓ ଏଥିପାଇଁ ହୁକ୍କା ବାର ଦିଲ୍ଲୀରେ ନିଷିଦ୍ଧ ହେଉ ବୋଲି ଦାବି କରି ଜାତୀୟ ଗ୍ରୀନ ଟ୍ରିବୁନାଲରେ ଦୁଇଟି ମାମଲା ଦାଏର ହୋଇଥିଲା । ଏହି ଦୁଇଟି ମାମଲାକୁ ଟ୍ରିବୁନାଲ ଖାରଜ କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ପ୍ରଦୂଷଣ କମୁନାହିଁ । ଦିଲ୍ଲୀ ଏକ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି । ଏହା ରହିବା ଯୋଗ୍ୟ ସ୍ଥାନ ହୋଇ ରହିନାହିଁ । ବାୟୁ ପ୍ରଦୂଷଣ ସ୍ତର ଏଭଳି ସ୍ଥିତିରେ ପହଞ୍ଚିଛି ଯେ, ଦିଲ୍ଲୀରେ ନ ରହିବା ଭଲ ବୋଲି ଗତକାଲି ସୁପ୍ରିମକୋର୍ଟ କହିଥିଲେ। ଜାତୀୟ ରାଜଧାନୀରେ ପ୍ରଦୂଷଣ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ର ଏହା କହିଥିଲେ । ବିଚାରପତି ଅରୁଣ ମିଶ୍ର ଏବଂ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ବଞ୍ଚିବାର ଅଧିକାରକୁ ପ୍ରଭାବିତ କରୁଛି। ଦିଲ୍ଲୀରେ ବଞ୍ଚିବା ଖୁବ୍ କଷ୍ଟଦାୟକ ହୋଇପଡ଼ିଛି ବୋଲି ଜଷ୍ଟିସ ମିଶ୍ର କହିଥିଲେ ।

ସମ୍ବନ୍ଧିତ ଖବର