ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସ୍ବାସ୍ଥ୍ୟ ଖରାପ ‌ଥିବା ନେଇ ଗତ କିଛିଦିନ ହେଲା ସୋସିଆଲ୍‌ ମିଡିଆରେ ଖବର ପ୍ରଚାର ହେଉଛି। ଆଜି ଏହାକୁ ନିଜେ ଖଣ୍ଡନ କରିଛନ୍ତି ଶାହ। ଏକ ଟ୍ବିଟ୍‌ ପୋଷ୍ଟ କରି ଶାହ କହିଛନ୍ତି, ସେ କୌଣସି ରୋଗରେ ପୀଡ଼ିତ ନାହାନ୍ତି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

୫୫ ବର୍ଷୀୟ ଶାହ କହିଛନ୍ତି ଯେ ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ କେତେକ ଲୋକ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଗୁଜବ ପ୍ରଚାର କରୁଛନ୍ତି। ଏପରିକି କେତେକ ଲୋକ ତାଙ୍କର ମୃତ୍ୟୁ ଅଭିଳାଷ ରଖି ମଧ୍ୟ ଟ୍ବିଟ୍ କରିଛନ୍ତି। ତେବେ ଗୁଜବ ପ୍ରଚାରକାରୀଙ୍କ ବିରୋଧରେ ତାଙ୍କ ମନରେ କୌଣସି ଘୃଣା ନାହିଁ ବୋଲି ସେ କହିଛନ୍ତି। କରୋନା ମହାମାରୀ ବିରୋଧରେ ଦେଶ ‌ଏବେ ଲଢ଼ୁଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୬୦ ହଜାରରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୧୯୦୦ରୁ ଅଧିକ ହେଲାଣି। ଗୃହମନ୍ତ୍ରୀ ହିସାବରେ ସେ ତାଙ୍କ ଦାୟିତ୍ବ ସମ୍ପାଦନ କରୁଛନ୍ତି। ତେଣୁ ଏସବୁ ଗୁଜବ‌କୁ ସେ ଧ୍ୟାନ ଦେଉ ନଥିଲେ। କିନ୍ତୁ ଗତ ଦୁଇ ଦିନ ହେଲା ଲକ୍ଷ ଲକ୍ଷ ବିଜେପି କର୍ମୀ ତାଙ୍କର ସ୍ବାସ୍ଥ୍ୟ ଖବରକୁ ନେଇ ଚିନ୍ତା ବ୍ୟକ୍ତ କରିବାରୁ ସେ ଏହି ସ୍ପଷ୍ଟୀକରଣ ଦେଉଛନ୍ତି ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର