ବାପାଙ୍କ ନିକଟରୁ କ୍ୟାରିୟର ଆରମ୍ଭ କରିଥିଲି, ପୁଅଙ୍କୁ ଦାୟିତ୍ବ ଦେଲି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କର ସୋମବାର ସୁପ୍ରିମକୋର୍ଟରେ ଶେଷ କାର୍ଯ୍ୟ ଦିବସ ଥିଲା। ଶେଷ କାର୍ଯ୍ୟଦିବସରେ ସେ ସୁପ୍ରିମକୋର୍ଟର ସେରିମନିଆଲ ଖଣ୍ଡପୀଠରେ ଶେଷ ଥର ପାଇଁ ବସିଛନ୍ତି। ଏହି ଖଣ୍ଡପୀଠରେ ତାଙ୍କ ସହିତ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ବେଲା ଏମ୍‌ ତ୍ରିବେଦୀ ଥିଲେ। ଏହି ଅବସରରେ ଜଷ୍ଟିସ ଲଳିତ ତାଙ୍କ ନ୍ୟାୟିକ କ୍ୟାରିୟରର ଏକ ବିରଳ ସଂଯୋଗ ବିଷୟରେ ସୂଚନା ଦେଇଛନ୍ତି। ବିଦାୟୀ ସିଜେଆଇ ୟୁ ୟୁ ଲଳିତ ୧୯୮୦ ଦଶକରେ ସୁପ୍ରିମକୋର୍ଟରେ ଜଣେ ଆଇନଜୀବୀ ଭାବେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ୱାଇଭି ଚନ୍ଦ୍ରଚୂଡ଼ଙ୍କ ନିକଟରେ ସେ ତାଙ୍କ ପ୍ରଥମ ମାମଲା ପରିଚାଳନା କରି ସୁପ୍ରିମକୋର୍ଟରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। କୋର୍ଟ ନମ୍ବର ୱାନ୍‌ରୁ ତାଙ୍କର ଏହି ଯାତ୍ରା ଆରମ୍ଭ ହୋଇଥିଲା। ଆଜି ସିଜେଆଇ ଲଳିତ ପୂର୍ବତନ ସିଜେଆଇ ୱାଇଭି ଚନ୍ଦ୍ରଚୂଡ଼ଙ୍କ ପୁଅ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ସିଜେଆଇ ଦାୟିତ୍ବ ଦେଇ ଅବସର ନେବାକୁ ଯାଉଛନ୍ତି। ଏହା ଏକ ବିରଳ ସଂଯୋଗ ବୋଲି ସିଜେଆଇ ଲଳିତ କହିଛନ୍ତି।

ସିଜେଆଇ ଲଳିତ ସୁପ୍ରିମକୋର୍ଟରେ ତାଙ୍କ ୩୭ ବର୍ଷର ଯାତ୍ରାକୁ ମନେ ପକାଇ ଭାବପ୍ରବଣ ‌ହୋଇପଡ଼ିଥିଲେ। ଲଳିତ କହିଛନ୍ତି, ଜଣେ ଆଇନଜୀବୀ ଏବଂ ଜଣେ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳକୁ ସେ ଭଲଭାବେ ସଂପାଦନ କରିଛନ୍ତି। ସିଜେଆଇ କହିଛନ୍ତି, ମୁଁ ଏଠାରେ ୩୭ ବର୍ଷ ହେଲା କାମ କଲିଣି। କିନ୍ତୁ ୨ଟି ସମ୍ବିଧାନ ପୀଠ ଏକାଠି ବସିଥିବା ମୁଁ କେବେ ବି ଦେଖିନି। କିନ୍ତୁ ମୋ କାର୍ଯ୍ୟକାଳ ଅଧୀନରେ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ୩ଟି ସମ୍ବିଧାନ ପୀଠ ଗୋଟିଏ ସମୟରେ ବସିଥିଲା। ଉଲ୍ଲେଖଯୋଗ୍ୟ ଯେ ସିଜେଆଇ ଲଳିତ ଆସନ୍ତାକାଲି ଅବସର ନେ‌ବେ। କିନ୍ତୁ ଆସନ୍ତାକାଲି ଗୁରୁ ନାନକ ଜୟନ୍ତୀ ଅବସରରେ କୋର୍ଟ ବନ୍ଦ ରହିବ। ‌ତେଣୁ ଆଜି ସିଜେଆଇ ଲଳିତଙ୍କ ଅଧ୍ୟକ୍ଷତାରେ ଏକ ସେରିମନିଆଲ ଖଣ୍ଡପୀଠ ବସିଥିଲା।

ସମ୍ବନ୍ଧିତ ଖବର