ଆଇଆଇଟି ପ୍ରଫେସର ଉଦ୍ଭାବନ କଲେ ବୋମା ନିରୋଧୀ ହେଲମେଟ୍, ବିସ୍ଫୋରଣ ଦାଉରୁ ଯବାନଙ୍କୁ ସୁରକ୍ଷା କରିବ

ନୂଆଦିଲ୍ଲୀ: ଆଇଆଇଟି ରୁରକୀର ଜଣେ ପ୍ରଫେସର ଭାରତୀୟ ସେନା ପାଇଁ ଏପରି ଏକ ହେଲମେଟ୍ ତିଆରି କରିଛନ୍ତି ଯାହାକି ବୋମା ବିସ୍ଫୋରଣ ବେଳେ ସୈନିକମାନଙ୍କ ମୁଣ୍ଡକୁ ସୁରକ୍ଷା ଦେଇପାରିବ । ତାଙ୍କର ଏହି ଉଦ୍ଭାବନ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ସାମରିକ ଇଂଜିନିୟରିଂ କ୍ଷେତ୍ରରେ ଏକ ବିରଳ ସଫଳତା ବୋଲି କୁହାଯ଼ାଉଛି ।

ଏହି ଅତ୍ୟାଧୁନିକ ମିଲିଟାରୀ ହେଲମେଟର ଉଦ୍ଭାବନ କରିଛନ୍ତି ପ୍ରଫେସର ଶୈଳେଶ ଗନପୁଲେ । ସେ ଆଇଆଇଟି ରୁରକୀର ମେକାନିକାଲ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ଇଂଜିନିୟରିଂ ବିଭାଗର ଜଣେ ପ୍ରଫେସର ।
ଏପର୍ୟ୍ୟନ୍ତ ସୈନିକମାନେ ପିନ୍ଧୁଥିବା ହେଲମେଟଗୁଡ଼ିକ ସେମାନଙ୍କୁ କେବଳ ଗୁଳି ଦାଉରୁ ରକ୍ଷା କରିପାରୁଥିଲା । କିନ୍ତୁ ଏହା ଏକ ଆଇଇଡି ବ୍ଲାଷ୍ଟ ବା ବୋମା ବିସ୍ଫୋରଣ ହେଲେ ମୁଣ୍ଡକୁ ସୁରକ୍ଷା ଦେଇପାରୁନଥିଲା । କିନ୍ତୁ ଏହି ନୂଆ ପ୍ରକାରର ହେଲମେଟ୍ ବିସ୍ଫୋରଣ କବଳରୁ ମଧ୍ୟ ମୁଣ୍ଡକୁ ସୁରକ୍ଷା ଦେଇପାରିବ ।

ପ୍ରଫେସର ଗନପୁଲେଙ୍କ ଏହି ଉଦ୍ଭାବନ ପାଇଁ ତାଙ୍କୁ ଏନଏସଜି ପକ୍ଷରୁ ଆତଙ୍କବାଦ ଓ ଆଇଇଡି ନିରୋଧୀ ଉଦ୍ଭାବକ ପୁରସ୍କାର ପ୍ରଦାନ କରାଯ଼ାଇଛି । ହରିୟାଣାର ମାନେଶ୍ବରଠାରେ ଥିବା ଏନଏସଜିର ମୁଖ୍ୟାଳୟଠାରେ ତାଙ୍କୁ ଏହି ପୁରସ୍କାର ଦିଆଯ଼ାଇଛି ।

ସମ୍ବନ୍ଧିତ ଖବର