ପାକିସ୍ତାନ ସେନା ହାତରେ ଇମ୍ରାନ ଖାନ୍‌ ଏକ କଣ୍ଢେଇ: ମନ୍ତ୍ରୀ ଭିକେ ସିଂହ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭିକେ ସିଂହ ସୋମବାର କହିଛନ୍ତି କି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନ ସେନାର ଏକ କଣ୍ଢେଇ ସଦୃଶ। ଭିକେ ସିଂହ ଆହୁରି ବି କହିଛନ୍ତି କି ଭାରତ ପ୍ରତି ପାକିସ୍ତାନ ନୀତିରେ କୌଣସି ପରିବର୍ତ୍ତନ ଆସିନାହିଁ।

ତାଙ୍କୁ ଯେତେବେଳେ ସୀମାରେ ରୀତିମତ ଆତଙ୍କବାଦ ବାବଦରେ ପଚରାଯାଇଥିଲା ସେ ଇମ୍ରାନ ଖାନ୍‌ଙ୍କୁ ପାକିସ୍ତାନ ସେନାର ସଖି କଣ୍ଢେଇ କହିବା ସହ ପ୍ରଶ୍ନ କରିଛନ୍ତି କି ‘ଆପଣମାନେ ସମସ୍ତେ ପରିବର୍ତ୍ତନର ଆଶା ରଖିଛନ୍ତି?’ ଏହି ପ୍ରଶ୍ନର ଅର୍ଥ ଏହା ସୂଚୀତ କରୁଛି ଯେ ଇମ୍ରାନ ଖାନ ପାକିସ୍ତାନ ସେନା ଦ୍ୱାରା ପରିଚାଳିତ। ଚାଲନ୍ତୁ ଅପେକ୍ଷା କରିବା ଓ ଦେଖିବା ସେ ସେନାର ନିୟନ୍ତ୍ରଣରେ ରହୁଛନ୍ତି କି ନାହିଁ ବୋଲି ଭିକେ ସିଂହ କହିଛନ୍ତି।

ଶିଖ୍‌ ଧର୍ମାବଲମ୍ବୀମାନଙ୍କ ପାଇଁ ପାକିସ୍ତାନର କରତରପୁର ମାର୍ଗ ଖୋଲାଯିବା ନେଇ ମିଳିଥିବା ପ୍ରସ୍ତାବକୁ ଭାରତ ଗ୍ରହଣ କରିଛି ବୋଲି ନିକଟରେ ପ୍ରକାଶ ପାଇଥିବା ଖବରକୁ ଭିକେ ସିଂହ ଅସ୍ୱୀକାର କରିଛନ୍ତି।

ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ବି ପ୍ରସ୍ତାବ ଆସିନାହିଁ। ଶିଖ୍‌ ଧର୍ମୀମାନଙ୍କର ଏହି ସମସ୍ୟା ବହୁ ବର୍ଷ ତଳୁ ଚାଲି ଆସୁଛି। ଯଦି ଏହା ଉପରେ କୌଣସି ଅଧିକ ସୂଚନା ମିଳେ ତେବେ ଆମେ ଆପଣଙ୍କୁ ନିଶ୍ଚୟ ଜଣାଇବୁ ବୋଲି ଭିକେ ସିଂହ କହିଛନ୍ତି।

ଗୁରୁନାନକଙ୍କ ୫୫୦ତମ ଜନ୍ମବାର୍ଷିକ ପାଳନ ଅବସରରେ ଆଗାମୀ ବର୍ଷ ପାକିସ୍ତାନରେ ଥିବା ପବିତ୍ର ଶିଖ୍‌ ମନ୍ଦିର କରତପୁରକୁ ଭାରତୀୟ ଭକ୍ତଙ୍କ ପାଇଁ ମାର୍ଗ ଖୋଲାଯିବ ବୋଲି ନିକଟରେ ପାକିସ୍ତାନ ପକ୍ଷରୁ ଘୋଷଣା ହେବା ପରେ ଭିକେ ସିଂହ ଏ ସଂପର୍କରେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର