ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବିରୋଧରେ ବଡ଼ ଅଭିଯୋଗ: ସାଉଦି ରାଜା ସଲ୍‌ମାନ୍‌ ବିନ୍‌ ଅବ୍‌ଦୁଲ୍ଲାଜିଜ୍‌ଙ୍କୁ ଅଭଦ୍ରୋଚିତ ବ୍ୟବହାର; ଦ୍ୱିପାକ୍ଷିକ ବୈଠକ ବାତିଲ୍

ମକ୍କା/ ଆବୁଧାବି/ ଇସ୍‌ଲାମାବାଦ: ଶିଷ୍ଟାଚାର ଓ ଶାଳୀନତାର ସମସ୍ତ ସୀମା ସରହଦ୍‌କୁ ଆଜି ଟପି ଯାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସାଉଦି ଆରବର ରାଜା ସଲ୍‌ମାନ୍‌ ବିନ୍‌ ଅବ୍‌ଦୁଲ୍ଲାଜିଜ୍‌ଙ୍କୁ ସାକ୍ଷାତ କରିବା ଅବସରରେ ପ୍ରଚଳିତ କୂଟନୈତିକ ‘ପ୍ରଟୋକଲ୍‌’କୁ ଅବମାନନା କରି ସର୍ବ ସମ୍ମୁଖରେ ତାଙ୍କ ମୁହଁ ଉପରେ ଅସମ୍ମାନ ପ୍ରଦର୍ଶନ ସହ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ କେନ୍ଦ୍ର କରି ସମଗ୍ର ମଧ୍ୟପ୍ରାଚ୍ୟ ସମେତ ପାକିସ୍ତାନରେ ତୀବ୍ର ପ୍ରତକ୍ରିୟା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଅପରପକ୍ଷରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କର ଏହି ଅଭଦ୍ରୋଚିତ ବ୍ୟବହାରର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟ୍ରୋଲ୍‌ ହେବା ସହ ପ୍ରବଳ ସମାଲୋଚନାର ଶରବ୍ୟ ହୋଇଛନ୍ତି ଇମ୍ରାନ୍‌।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଚଳିତ ବର୍ଷ ସାଉଦି ଆରବର ପବିତ୍ର ସହର ମକ୍କା ଠାରେ ଆୟୋଜିତ ହେବାକୁ ଥିବା ‘ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ୍‌ କୋ-ପରେସନ୍‌’ (ଓଆଇସି)ର ବୈଠକ ପୂର୍ବରୁ ମକ୍କା ଠାରେ ସାଉଦି ଆରବର ରାଜା ସଲ୍‌ମାନ୍‌ ବିନ୍‌ ଅବ୍‌ଦୁଲ୍ଲାଜିଜ୍‌ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକର ଆୟୋଜନ କରିଥିଲେ। ଏବଂ ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ଜଣେ ନିମନ୍ତ୍ରିତ ଅତିଥି ଭାବେ ଏହି ବୈଠକରେ ଯୋଗ ଦେବାକୁ ଆସିଥିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌।

ତେବେ, ବୈଠକରେ ଯୋଗ ଦେବାକୁ ଯାଇଥିବା କାଳରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ସ୍ୱାଗତ କରିଥିଲେ ସାଉଦି ଆରବର ରାଜା ସଲ୍‌ମାନ୍‌ ବିନ୍‌ ଅବ୍‌ଦୁଲ୍ଲାଜିଜ୍‌। ହେଲେ, ଇମ୍ରାନ୍‌, ସେଠାରେ କୂଟନୈତିକ ‘ପ୍ରଟୋକଲ୍‌’କୁ ଅବମାନନା କରି ସର୍ବ ସମ୍ମୁଖରେ ତାଙ୍କ ମୁହଁ ଉପରେ ଅସମ୍ମାନ ଓ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିଥିଲେ। ମଧ୍ୟପ୍ରାଚ୍ୟର ସର୍ବମାନ୍ୟ ରାଜା ସଲ୍‌ମାନ୍‌ ବିନ୍‌ ଅବ୍‌ଦୁଲ୍ଲାଜିଜ୍‌ଙ୍କ ସହ ସିଧାସଳଖ କଥା ନହୋଇ ତାଙ୍କୁ ଆଙ୍ଗୁଠି ଦେଖାଇ ତାଙ୍କ ‘ଇଣ୍ଟରପ୍ରିଟର’ଙ୍କ ସହ କଥା ହୋଇଥିଲେ ଇମ୍ରାନ। ଏପରିକି ନିଜର ବକ୍ତବ୍ୟ ବା କଥା ଶେଷ ପୂର୍ବରୁ ଏବଂ ଇଣ୍ଟରପ୍ରିଟର ତାଙ୍କ କଥାକୁ ଅନୁବାଦ କରି ରାଜାଙ୍କୁ ଶୁଣାଉଥିବା ବେଳେ ଇମ୍ରାନ୍‌ ରାଜାଙ୍କ ଠାରୁ ଆନୁଷ୍ଠାନିକ ବିଦାୟ ନ ନେଇ କଥା ହେଉଥିବା ଅବସ୍ଥାରେ ତାଙ୍କୁ ଆଙ୍ଗଠି ଦେଖାଇ ପଛବୁଲି ସେଠାରୁ ଚାଲି ଯାଇଥିଲେ।

ସାଉଦିର ସର୍ବମାନ୍ୟ ରାଜା ସଲ୍‌ମାନ୍‌ ବିନ୍‌ ଅବ୍‌ଦୁଲ୍ଲାଜିଜ୍‌ଙ୍କୁ ଇମ୍ରାନ୍‌ ଏ ପ୍ରକାର ଅଭଦ୍ରୋଚିତ ଆଚରଣ ପ୍ରଦର୍ଶନ କରିବା ଘଟଣାରେ ସମଗ୍ର ମଧ୍ୟପ୍ରାଚ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ, ଏ ମାମଲାରେ ପାକିସ୍ତାନକୁ ନିଜର ତୀବ୍ର ଅସନ୍ତୋଷ ଜଣାଇ ଦେଇଛି ସାଉଦି ଆରବ। ଏବଂ ସାଉଦି ରାଜା ରାଜା ସଲ୍‌ମାନ୍‌ ବିନ୍‌ ଅବ୍‌ଦୁଲ୍ଲାଜିଜ୍‌ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହ କରିବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନା ସମେତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର