କୋର୍ଟରେ ଆତ୍ମସମର୍ପଣ କଲେ ଇମ୍ରାନ୍ ଗିରଫ ହେବେନି: ବିଚାରପତି

ଇସଲାମାବାଦ: ପାକିସ୍ତାନର ଏକ କୋର୍ଟର ବିଚାରପତି କହିଛନ୍ତି ଯେ ତୋଷଖାନା ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଗିରଫଦାରୀକୁ ସେ ଅଟକାଇଦେବେ, ଯଦି ଖାନ୍ କୋର୍ଟରେ ଆତ୍ମସମର୍ପଣ କରନ୍ତି। ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ଆପରାଧିକ ମାମଲା ଚଳାଇବା ପାଇଁ ପାକିସ୍ତାନ ନିର୍ବାଚନ କମିସନଙ୍କ ଆଦେଶ ଉପରେ ମାମଲାର ଶୁଣାଣି କରୁଥିବା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଜାଫର ଇକବାଲ ଉପରୋକ୍ତ କଥା କହିଛନ୍ତି। ରିପୋର୍ଟ ଅନୁଯାୟୀ, ଇମ୍ରାନ୍‌ଙ୍କ ନାମରେ ଫେବ୍ରୁଆରି ୨୮ରେ ଅପରାଧୀକରଣର ଚାର୍ଜସିଟ୍ ଦାଖଲ କରାଯିବାର ଥିଲା। କିନ୍ତୁ ତାଙ୍କ ଆଟର୍ଣ୍ଣି କହିଥିଲେ ଯେ ଇମ୍ରାନ୍‌ଙ୍କର ଏକାଧିକ ମାମଲାରେ ଅନେକ କୋର୍ଟରେ ହାଜର ହେବାର ଥିବାରୁ ତାଙ୍କୁ ଶୁଣାଣିରୁ ଛାଡ଼ କରିଦିଅନ୍ତୁ।

ଅତୀତରେ ଏକାଧିକ ବାର ଇମ୍ରାନ୍‌ଙ୍କୁ ଏଥିରୁ ଛାଡ଼ ମିଳିଛି। ତା’ପରେ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହେଲା। ମାର୍ଚ୍ଚ ୭ ସୁଦ୍ଧା ପୁଲିସ ତାଙ୍କୁ କୋର୍ଟରେ ହାଜର କରାଇବାକୁ ବିଚାରପତି ଆଦେଶ ଦେଇଥିଲେ। ଇମ୍ରାନ୍ ପୁଲିସର ଗିରଫଦାରୀକୁ ଏଡ଼ାଇ ଇସଲାମାବାଦ ହାଇକୋର୍ଟରେ ତାଙ୍କ ବିରୋଧରେ ଜାରି ପରୱାନା ଫେରାଇ ନେବାକୁ ଅନୁରୋଧ କରିଥିଲେ। କୋର୍ଟ ତାଙ୍କୁ ସାମୟିକ ଆଶ୍ବସ୍ତି ଦେଲେ ମଧ୍ୟ ତାଙ୍କୁ ମାର୍ଚ୍ଚ ୧୩ରେ ଦୌରା କୋର୍ଟରେ ହାଜର ହେବାକୁ ଆଦେଶ ଦେଇଥିଲେ। କିନ୍ତୁ ସେ ହାଜର ହୋଇ ନ ଥିଲେ। ଏଣୁ ତାଙ୍କ ବିରୋଧରେ ସୋମବାର ସାନି ଜାମିନବିହୀନ ଗିରଫ ପରୱାନା ଜାରି ହେଲା। ମାର୍ଚ୍ଚ ୧୮ ସୁଦ୍ଧା ତାଙ୍କୁ କୋର୍ଟରେ ହାଜର କରାଇବାକୁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଇକବାଲ ପୁଲିସକୁ ଆଦେଶ ଦେଇଛନ୍ତି। ଏଥି ସହ ଇକବାଲ କହିଛନ୍ତି ଯେ ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଆସି କୋର୍ଟରେ ଆତ୍ମସମର୍ପଣ କରନ୍ତି ତେବେ ତାଙ୍କୁ ଗିରଫ କରାଯିବ ନାହିଁ।

ସମ୍ବନ୍ଧିତ ଖବର