ରାଜସ୍ଥାନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବସୁନ୍ଧରାଙ୍କ ବିରୋଧରେ କଂଗ୍ରେସର ପ୍ରାର୍ଥୀ ଭାବେ ଲଢ଼ିବେ ବରିଷ୍ଠ ବିଜେପି ନେତା ଯଶଓ୍ଵନ୍ତ ସିଂହଙ୍କ ପୁତ୍ର ମାନବେନ୍ଦ୍ର

ଜୟପୁର (ରାଜସ୍ଥାନ): ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ପାଇଁ ଆସନ୍ତା ଡିସେମ୍ବର ୭ ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
ତେବେ, କଂଗ୍ରେସ ପକ୍ଷରୁ ଆଜି ପ୍ରକାଶ ପାଇଥିବା ଦ୍ୱିତୀୟ ପ୍ରାର୍ଥୀ ତାଲିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ପୂର୍ବତନ ବିଜେପି ନେତା ମାନବେନ୍ଦ୍ର ସିଂହଙ୍କ ନାମ ପାଇବା। ପୁଣି ବିଜେପି ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଥିବା ମାନବେନ୍ଦ୍ରଙ୍କୁ ଦଳ ପ୍ରାର୍ଥୀ କରିଛି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବସୁନ୍ଧରା ରାଜେଙ୍କ ବିରୋଧରେ। ବସୁନ୍ଧରା ରାଜେଙ୍କ ବିରୋଧରେ ଝଲରାପାଟନା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ମାନବେନ୍ଦ୍ର। ଉଲ୍ଲେଖଯୋଗ୍ୟ, ମାନବେନ୍ଦ୍ର ହେଉଛନ୍ତି ବରିଷ୍ଠ ବିଜେପି ନେତା ତଥା ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ବିଭିନ୍ନ ସମୟରେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଥିବା ଯଶଓ୍ଵନ୍ତ ସିଂହଙ୍କ ପୁତ୍ର। ତେଣୁ, ସ୍ୱାଭାବିକ ଭାବେ ମାନବେନ୍ଦ୍ରଙ୍କ ବିରୋଧରେ ବସୁନ୍ଧରା କଡ଼ା ମୁକାବିଲାର ସମ୍ମୁଖୀନ ହେବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି।

ସମ୍ବନ୍ଧିତ ଖବର