ଭାରତରେ ପ୍ରତି ଏକ ଲ‌କ୍ଷରେ ୦.୨ ମୃତ୍ୟୁ

ନୂଆଦିଲ୍ଳୀ: ଭାରତରେ ସଂକ୍ରମଣ ମାମଲା ୧ ଲକ୍ଷ ଟପିଥିଲେ ମଧ୍ୟ ବୈଶ୍ବିକ ହାର ତୁଳନାରେ ଭାରତର ଜନସଂଖ୍ୟାକୁ ବିଚାରକୁ ନେଲେ ମୃତ୍ୟୁସଂଖା ବହୁତ କମ୍‌ ରହିଛି। ଭାରତରେ ପ୍ରତି ୧ ଲକ୍ଷରେ ୦.୨ ମୃତ୍ୟୁ ହେଉଛି। ଅନ୍ୟପକ୍ଷେ ବିଶ୍ବରେ ପ୍ରତି ୧ ଲକ୍ଷରେ ହାରାହାରି ୪.୧ ମୃତ୍ୟୁ ହେଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କହାଯାଉଛି। ସଠିକ୍‌ ସମୟରେ ରୋଗ ଚିହ୍ନଟ ଏବଂ ମାମଲାର ସଠିକ୍‌ ପରିଚାଳନା ଦ୍ବାରା ଦେଶରେ ମୃତ୍ୟୁସଂଖ୍ୟାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କହାଯାଇଛି।

କ‌ରୋନା ମହାମାରୀ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଆମେରିକାରେ ମୃତ୍ୟୁସଂଖ୍ୟା ୨୬.୬ ରହୁଛି। ଅନ୍ୟପକ୍ଷେ ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନ୍‌ରେ ଏହି ସଂଖ୍ୟା ରହିଛି ୦.୩। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କୋଭିଡ୍‌-୧୯ ରିପୋର୍ଟକୁ ଆଧାର କରି ମନ୍ତ୍ରାଳୟ କହିଛି। ଭାରତରେ ଏବେ ଆରୋଗ୍ୟ ହାର ୩୮.୭୩ ପ୍ରତିଶତରେ ପହଞ୍ଚିଛି। ୩୯ ହଜାର ୧୭୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ ଏବେ ୫୮ ହଜାର ୮୦୨ ସକ୍ରିୟ ମାମଲାରୁ କେବଳ ୨.୯ ପ୍ରତିଶତ ଆଇସିୟୁରେ ରହିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତ ଅନ୍ୟ ଦେଶ ତୁଳନାରେ ଏହାର ସଂକ୍ରମଣ ଏବଂ ମୃତ୍ୟୁ ମାମଲାକୁ ନିୟନ୍ତ୍ରଣରେ ରଖିପାରିଛି।

ସମ୍ବନ୍ଧିତ ଖବର