୨୪ଘଣ୍ଟାରେ ପୁଣି ୩୦୦୦ରୁ ଅଧିକ ମାମଲା: ମୃତ୍ୟୁସଂଖ୍ୟା ୨୧୦୦ ଟପିଲା, ଆକ୍ରାନ୍ତଙ୍କ ସଂଖ୍ୟା ୬୩ ହଜାର ନିକଟତର

କେରଳରେ ସବୁ ରବିବାର ସଟ୍‌ଡାଉନ୍‌

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଲକ୍‌ଡାଉନ୍‌ ଜାରି ରହିଥିଲେ ମଧ୍ୟ କିଛିଦିନ ହେଲା ଦେଶରେ ଦୈନିକ ୩୦୦୦ରୁ ଅଧିକ ନୂଆ ଆକ୍ରାନ୍ତ ବାହାରୁଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୨୭୭ ଜଣ ନୂଆ କରୋନାଭୂତାଣୁ ରୋଗୀ ବାହାରି ଥିବା ବେଳେ ଏହି ମହାମାରୀ ୧୨୮ ଜଣଙ୍କର ଜୀବନ ନେଇଛି। ଫଳରେ କରୋନା ଭୂତାଣୁ ଯୋଗୁଁ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୨୧୦୦ ଅତିକ୍ରମ କରି ୨୧୦୯ରେ ପହଞ୍ଚିଯାଇଛି। ସେହିଭଳି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୯୩୯ରେ ପହଞ୍ଚିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଦେଶରେ ଦେଖାଦେଇଥିବା ମୋଟ ମାମଲା ମଧ୍ୟରୁ ଅତିକମ୍‌ରେ ୫୦ ପ୍ରତିଶତ ମାମଲା ୫ଟି ପ୍ରମୁଖ ସହରରେ ହୋଇଛି। ସେହି ସହରଗୁଡ଼ିକ ହେଲା ଦିଲ୍ଲୀ, ମହାରାଷ୍ଟ୍ରର ମୁମ୍ବାଇ ଓ ପୁନେ, ଗୁଜରାଟର ଅହମଦାବାଦ ଏବଂ ତାମିଲନାଡ଼ୁର ଚେନ୍ନାଇ। ଅନ୍ୟପକ୍ଷରେ କରୋନା ଭୂତାଣୁର ନିୟନ୍ତ୍ରଣ ପାଇଁ ‌ସରକାର ଉଦ୍ୟମ ଚଳାଇଛନ୍ତି। ଭାରତରେ କୋଡିଡ-୧୯ ପରୀକ୍ଷାର ନୋଡାଲ ଏଜେନ୍ସି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ଦେଶରେ ‌ଟିକାର ବିକାଶ କରିବା ପାଇଁ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ ନାମକ କମ୍ପାନି ସହିତ ସହଯୋଗିତା ସ୍ଥାପନ କରିଛି। ଆଇସିଏମ୍‌ଆର୍‌ର ପୁନେସ୍ଥିତ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(ଏନ୍‌ଆଇଭି)ରେ ପୃଥକ୍ କରାଯାଇଥିବା ଭାଇରସ୍‌ ଷ୍ଟ୍ରେନ୍‌ର ବିକାଶ କରି ଏହି କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ଜଣାଯାଇଛି।

କେରଳ ଆଜି ସମ୍ପୂର୍ଣ୍ଣ ଲକଡାଉନ୍‌ରେ ରହିଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କିଛି ଖୋଲିବାକୁ ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। କୋଭିଡ-୧୯ ସଂକ୍ରମଣକୁ ରୋକିବା, ଜୀବନଧାରଣ ମାନରେ ଉନ୍ନତି, କାର୍ବନ ନିର୍ଗମନ ହ୍ରାସ, ପରିବେଶ ସୁରକ୍ଷା ଏବଂ ସବୁଜ ବନାନୀକୁ ବଜାୟ ରଖିବା ଲାଗି ଏହା କରାଯିବ। ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରତି ରବିବାର ରାଜ୍ୟରେ ସଟ୍‌ଡାଉନ୍ ପାଳନ କରାଯିବ ବୋଲି କହାଯାଇଛି। କରୋନା ଦ୍ବାରା ସବୁଠୁ ପ୍ରଭାବିତ ରାଜ୍ୟ ହେଲା ମହାରାଷ୍ଟ୍ର। ଶନିବାର ୨୪ ଘଣ୍ଟା ଭିତରେ ମହାରାଷ୍ଟ୍ରରେ କରୋନା ଭୂତାଣୁରେ ଏହି ରାଜ୍ୟରେ ୪୮ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଥିବାବେଳେ ମୃତ୍ୟୁସଂଖ୍ୟା ୭୭୯ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୪୮ ଜଣଙ୍କ ମଧ୍ୟରୁ ମୁମ୍ବାଇରେ ୨୭ ଜଣ, ପୁନେରେ ୯ ଜଣ, ମାଲେଗାଓଁରେ ୮ ଜଣଙ୍କର ମୃତ୍ୟୁ ହୋଇଛି।

କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ଉତ୍ତରପ୍ରଦେଶର ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଥିବା ଜଣେ ୫୮ ବର୍ଷୀୟ ଡାକ୍ତରଙ୍କର ଶନିବାର ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି। ଉତ୍ତରପ୍ରଦେଶରେ ପ୍ଲାଜ୍‌ମା ଥେରା‌ପିରେ ଚିକିତ୍ସିତ ହେବାରେ ସେ ଥିଲେ ପ୍ରଥମ ବ୍ୟକ୍ତି। ଅଧିକ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେଉଥିବା ୧୦ଟି ରାଜ୍ୟକୁ କେନ୍ଦ୍ର ସରକାର କେନ୍ଦ୍ରୀୟ ଟିମ୍ ପଠାଇବାକୁ ଗତକାଲି ନିଷ୍ପତ୍ତି ନେଇଛନ୍ତି। ଏହି ଟିମ୍‌ରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ, ଜଣେ ଯୁଗ୍ମ ସଚିବ ସ୍ତରୀୟ ନୋଡାଲ ଅଧିକାରୀ ଏବଂ ଜଣେ ସ୍ବାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞ ରହିବେ। ଏହି ଟିମ୍‌ ଗୁଜରାଟ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଂଜାବ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଗସ୍ତ କରିବେ।

ସମ୍ବନ୍ଧିତ ଖବର