ରୁଷ୍‌ରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଟପିଲା, ଆମେରିକାରେ ମୃତ୍ୟୁସଂଖ୍ୟା ୮୦ହଜାର ଟପିଲା

ଦକ୍ଷିଣ କୋରିଆରେ ଚିନ୍ତା ବଢ଼ିଲା, ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ସତର୍କ କରାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି। ରୁଷ୍‌ରେ ସଂକ୍ରମଣ ମାତ୍ରା ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍‌ରେ ପୁଣି ୧୧ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଛି ଏବଂ ୮୮ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୯ ହଜାର ୬୮୮ରେ ପହଞ୍ଚିଛି ଏବଂ ୧୯୧୫ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍‌ ଚଳିତ ସପ୍ତାହରେ ଫ୍ରାନ୍ସ ଓ ଜର୍ମାନୀକୁ ଟପିଯାଇଛି ଏବଂ ବିଶ୍ବରେ ପଞ୍ଚମ ରାଷ୍ଟ୍ର ପାଲଟିଛି। ସେହିପରି ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଛି। ଶନିବାର ଆମେରିକାରେ ୧୬୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୫ ହଜାର ୬୨୧ଟି ନୂଆ ମାମଲା ରେକର୍ଡ କରାଯାଇଛି। ‌ଆମେରିକାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୪୭ହଜାର ୩୧୮ରେ ପହଞ୍ଚିଛି। ଆମେରିକା ପରେ ସ୍ପେନ୍‌ରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ୬୪ ହଜାର ୬୬୩ ଥିବାବେଳେ ମୃତ୍ୟୁସଂଖ୍ୟା ୨୬ହଜାର ୬୨୧ ରହିଛି।

ତେବେ ଇଟାଲିରେ ମୃତ୍ୟୁସଂଖ୍ୟା ୩୦ ହଜାର ୩୯୫ରେ ପହଞ୍ଚିଛି। ବିଶ୍ବବ୍ୟାପୀ ଏବେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୪୧ଲକ୍ଷ ୨୧ ହଜାର ୭୭୮ ଥିବା ବେଳେ ୨ଲକ୍ଷ ୮୦ହଜାର ୮୬୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବ୍ରିଟେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୫ହଜାର ୨୬୦ରେ ପହଞ୍ଚିଛି। ବ୍ରିଟେନ୍‌ରେ ଗତ କିଛି ଦିନ ମଧ୍ୟରେ ନମୁନା ପରୀକ୍ଷାକୁ ନେଇ ସମସ୍ୟା ଉପୁଜିଛି। ବ୍ରିଟେନ୍‌ ଆମେରିକାକୁ ୫୦ ହଜାର ନମୁନା ପରୀକ୍ଷା ପାଇଁ ପଠାଇଥିବା ସ୍ବୀକାର କରିଛି। ଜର୍ମାନୀରେ ପୁଣି ସଂକ୍ରମଣର ମାତ୍ରା ବଢ଼ିଛି। ଲକ୍‌ଡାଉନ୍‌ କୋହଳ ହେବାପରେ ଜର୍ମାନୀରେ ସଂକ୍ରମଣ ବଢ଼ିଛି। ଦକ୍ଷିଣ କୋରିଆରେ ମଧ୍ୟ ସଂକ୍ରମଣ ବଢ଼ିଛି। ଗୋଟିଏ ଦିନରେ ଗତକାଲି ଦକ୍ଷିଣ କୋରିଆରେ ୩୪ ନୂଆ ମାମଲା ରେକର୍ଡ କରାଯାଇଛି। ସିଓଲ୍‌ ନାଇଟ୍‌କ୍ଲବ୍‌ରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୫୪ ଜଣ କ‌ରୋନା ସଂକ୍ରମିତ ହୋଇଛନ୍ତି। ପ୍ରାୟ ୨୦୦୦ ଜଣଙ୍କୁ ଏବେ ପଚାରାଉଚରା ଜାରି ରହିଛି। ତେବେ ସଂକ୍ରମଣ ବଢ଼ିବା ପରେ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍‌ ରାଷ୍ଟ୍ରରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ସତର୍କ କରାଇଛନ୍ତି। ପାକିସ୍ତାନରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୧୯୯୧ ନୂଆ ମାମଲା ଚିହ୍ନଟ ହୋଇଛି। ପାକିସ୍ତାନରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨୯ ହଜାର ଟପିଛି।

ସମ୍ବନ୍ଧିତ ଖବର