ପାଟନା : ବିହାରର ଖାଗାରିଆ ଜିଲ୍ଲା ବିଚାରପତି ପ୍ରେମପାଇଁ ତାଙ୍କ ଝିଅକୁ ଗୃହବନ୍ଦୀ କରି ରଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମାମଲାରେ ଏବେ ପାଟନା ହାଇକୋର୍ଟ ହସ୍ତକ୍ଷେପ କରି ଖାଗାରିଆ ଜିଲ୍ଲା ବିଚାରପତି ସୁଭାଷ ଚନ୍ଦ୍ର ଚୌରାସିଆଙ୍କ ଝିଅ ଯଶସ୍ୱିିନୀଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଯଶସ୍ୱିିନୀ ଜଣେ ଆଇନ ଛାତ୍ରୀ। ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ସିଦ୍ଧାର୍ଥ ବନସଲ୍ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି । ତେବେ ଉଭୟଙ୍କ ପ୍ରେମ ସମ୍ପର୍କକୁ ଯଶସ୍ୱିିନୀଙ୍କ ବାପା ମା’ ତୀବ୍ର ବିରୋଧ କରି ଆସୁଥିଲେ। ସେମାନେ ଝିଅକୁ ନିସ୍ତୁକ ମାଡ଼ ମାରିବା ସହ ଗୃହବନ୍ଦୀ କରି ରଖିଥିଲେ। ଉକ୍ତ ଘଟଣା ସମ୍ପର୍କରେ ଜୁନ୍ ୨୨ ତାରିଖରେ ଲିଗାଲ ନ୍ୟୁଜ୍ ପୋର୍ଟାଲ୍ ‘ବାର୍ ଆଣ୍ଡ୍ ବେଞ୍ଚ୍’ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟକୁ ଆଧାର କରି ପାଟନା ହାଇକୋର୍ଟ ଉକ୍ତ ମାମଲାରେ ହସ୍ତକ୍ଷେପ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ପାଟନା ପୁଲିସ ଯଶସ୍ୱିିନୀଙ୍କୁ କୋର୍ଟରେ ହାଜର କରାଇଥିଲେ। ଯଶଶ୍ୱିନୀ ଆଜି କୋର୍ଟରେ ନିଜ ମନକଥା ପ୍ରକାଶ କରି କହିଥିଲେ ଯେ ସୁପ୍ରିମକୋର୍ଟର ଆଇନଜୀବୀ ସିଦ୍ଧାର୍ଥ ବନସଲ୍ଙ୍କୁ ସେ ଭଲ ପାଆନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହାନ୍ତି। କିନ୍ତୁ ତାଙ୍କ ବାପା ତାଙ୍କୁ ଏଥିରୁ ବାରଣ କରି ଘର ଭିତରେ ଆବଦ୍ଧ କରି ରଖିଛନ୍ତି। ଅନେକ ଥର ତାଙ୍କୁ ମାଡ଼ ମରାଯାଇଛି। ଯଶସ୍ୱିିନୀଙ୍କଠାରୁ ସବୁ କଥା ଶୁଣିବାପରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍ ଏବଂ ବିଚାରପତି ରାଜୀବ ରଞ୍ଜନ ପ୍ରସାଦଙ୍କ ଖଣ୍ଡପୀଠ ଯଶସ୍ୱିିନୀଙ୍କୁ ତାଙ୍କ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ବିବାହ କରିବାପାଇଁ ଅନୁମତି ଦେଇଛନ୍ତି। ଯଶସ୍ୱିିନୀ ପଢ଼ୁଥିବା ସିଏନ୍ଏଲୟୁ (ଚାଣକ୍ୟ ନ୍ୟାସନାଲ ଲ ୟୁନିଭର୍ସିଟି)ର ଗେଷ୍ଟ୍ ହାଉସ୍ରେ ତାଙ୍କ ରହିବା ବନ୍ଦୋବସ୍ତ କରିବାପାଇଁ କୋର୍ଟ ସିଏନ୍ଏଲୟୁକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ମେ’ ୬ ତାରିଖରେ ଦିଲ୍ଲୀ ଜୁଡିସିଆଲ ସର୍ଭିସ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଏବଂ ଏହି ପରୀକ୍ଷାର ଦିନକ ପୂର୍ବରୁ ଯଶସ୍ୱିନୀ ମା’ଙ୍କ ସହିତ ଦିଲ୍ଲୀ ଯାଇଥିଲେ। ସେଦିନ ଯଶସ୍ୱିିନୀଙ୍କୁ ବନସଲ୍ଙ୍କ ସହ କଥା ହେଉଥିବା ଦେଖିବାପରେ ଯଶସ୍ୱିିନୀଙ୍କ ମା’ ତାଙ୍କୁ ପରୀକ୍ଷାରେ ବସିବାକୁ ଦେଇନଥିଲେ ଏବଂ ସେଠାରୁ ତାଙ୍କୁ ଖାଗାରିଆ ଫେରାଇ ଆଣିଲେ। ଝିଅକୁ ମାଡ଼ ମାରିବା ସହ ଗୃହବନ୍ଦୀ କରି ରଖାଯାଇଥିଲା। ଗତ ମେ’ ୨୫ ତାରିଖରେ ମଧ୍ୟ ବନସଲ୍ ଯଶସ୍ୱିିନୀଙ୍କୁ ଭେଟିବାପାଇଁ ଖାଗାରିଆ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଯଶସ୍ୱିିନୀଙ୍କ ସହ ଭେଟିବାର ସୁଯୋଗ ମିଳିଲାନି। ବରଂ ତାଙ୍କୁ କୁହାଯାଇଥିଲା ଯଶସ୍ୱିିନୀଙ୍କୁ ବିବାହ କରିବାକୁ ହେଲେ ତାଙ୍କୁ ପ୍ରଥମେ ଜଣେ ବିଚାରପତି ହେବାର ଯୋଗ୍ୟତା ହାସଲ କରିବାକୁ ପଡ଼ିବ କିମ୍ବା ସିଭିଲ୍ ସର୍ଭିସ୍ ପରୀକ୍ଷା ପାସ୍ କରିବାକୁ ପଡ଼ିବ।