ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ପରବର୍ତ୍ତୀ, ବିଦ୍ୟୁତ ବିଲ୍‌ ଚିନ୍ତାଜନକ

ଭୋପାଳ: ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ପରବର୍ତ୍ତୀ ଇଲେକ୍ଟ୍ରିକ୍‌ ବିଲ୍‌ ‌ଗ୍ରାହକମାନଙ୍କୁ ଅଚମ୍ବିତ କରିଦେଇଛି। କେଉଁଠି ଗ୍ରାହକଙ୍କୁ ୫୦ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ ମିଳିଥିବା ବେଳେ ଆଉ କେଉଁଠି ଗ୍ରାହକଙ୍କୁ ୨୦ ହଜାର ଟଙ୍କାର ବିଲ୍‌ ମିଳିଛି। ଏଭଳି ସ୍ଥଳେ ଗ୍ରାହକଙ୍କ ଦ୍ବନ୍ଦ୍ବ ବଢ଼ିଯାଇଛି। ତେଣୁ ସରକାର ଗ୍ରାହକମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ଶିବିର ବସାଇବାକୁ ଘୋଷଣା କରିଛନ୍ତି। ସରକାରୀ ଯୋଜନା ଅଧୀନରେ ଯେଉଁମାନେ ରିହାତି ଦରରେ ବିଦ୍ୟୁତ୍‌ ପାଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ସରକାର ଆହୁରି ସୁବିଧା ଘୋଷଣା କରୁଛନ୍ତି ବୋଲି ଏବେ ଲୋକମାନେ ଅଭିଯୋଗ କଲେଣି। ମିଳିଥିବା ସୂଚନାନୁଯାୟୀ ଏହି ବିଦ୍ୟୁତ୍‌ ବିଲ୍‌ ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କୁ ପ୍ରଭାବିତ କରିଛି।

ଭୋପାଳରେ ଜଣେ ବିଜେପି କାର୍ଯ୍ୟକର୍ତ୍ତା କହିଛନ୍ତି ପ୍ରତିମାସରେ ୧୫ ହଜାର ଟଙ୍କାର ବିଲ୍‌ ଭରିଥାନ୍ତି କିନ୍ତୁ ଲକ୍‌ଡାଉନ୍‌ ପରେ ତାଙ୍କୁ ଜୁନ୍‌ ମାସରେ ଏକାବେଳେ ୫୦ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ ମିଳିଛି। ସେହିପରି ଗ୍ବାଲିୟରରେ ସୁରେନ୍ଦ୍ର ସିଂହ ନାମକ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ କହିଛନ୍ତି ଯେ, ସେ ସେ ଶୀତଦିନ‌େ ୨ ହଜାରରୁ -୨,୫୦୦ ଏବଂ ଖରାଦିନେ ୩,୫୦୦-୪,୫୦୦ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ପାଇଥାନ୍ତି କିନ୍ତୁ ଚଳିତ ମାସରେ ତାଙ୍କୁ ୧୯ ହଜାର ଟଙ୍କାର ବିଲ୍‌ ମିଳିଛି। ଜଣେ ଦୋକାନୀ ୪ ହଜାର ୮ ଶହରୁ ଅଧିକ ଟଙ୍କାର ବିଲ୍‌ ପାଇଛନ୍ତି। ଜବଲପୁର, ସିଓନି, ଅଶୋକ ନଗର, ରାଜଗଡ଼, ରତଲମ୍‌, ଗ୍ବାଲିୟର ଆଦି ଜିଲ୍ଲାମାନଙ୍କରେ ଲୋକମାନେ ଉକ୍ତ ପ୍ରସଙ୍ଗରେ ଗତ ସପ୍ତାହରୁ ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର