ରାଜସ୍ଥାନରେ କଂଗ୍ରେସ ପାଇଁ ଚିନ୍ତା ବଢ଼ିଲା: ଅବିଳ‌ମ୍ବେ ମୁଖ୍ୟମନ୍ତ୍ରୀ ପଦ ଚାହୁଛନ୍ତି ପାଇଲଟ୍‌

ଜୟପୁର: ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ ଏବେଠାରୁ ସବୁ ପ୍ରମୁଖ ଦଳ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜସ୍ଥାନରେ କ୍ଷମତ‌ାରେ ଥିବା କଂଗ୍ରେସ ପାରମ୍ପରିକ ଟ୍ରେଣ୍ଡ୍‌ ଭାଙ୍ଗି ପୁଣିଥରେ କ୍ଷମତାକୁ ଫେରିବା ଲକ୍ଷ୍ୟ ରଖିଛି। କିନ୍ତୁ ରାଜସ୍ଥାନରେ କଂଗ୍ରେସ ପାଇଁ ଏବେ ଚିନ୍ତା‌ ବଢ଼ିଛି। କଂଗ୍ରେସ ନେତା ସଚିନ ପାଇଲଟ ଅବଳମ୍ବେ ମୁଖ୍ୟମନ୍ତ୍ରୀ ପଦ ଚାହିଛନ୍ତି। ନିକଟ‌ରେ ପାଇଲଟ୍‌ କଂ‌ଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିଲେ। ପାଇଲଟ୍‌ କହିଛନ୍ତି, ଯଦି ଦଳ ନିଷ୍ପତ୍ତି ନେବାରେ ବିଳମ୍ବ କରେ ତେବେ ଏହା ରାଜ୍ୟରେ କ୍ଷମତା ହରାଇଦେବ। ସେ ପଂଜାବରେ ଚରଣଜିତ ସିଂହ ଚନ୍ନିଙ୍କ ଉଦାହରଣ ଦେଇ ତୁରନ୍ତ ସୋନିଆଙ୍କୁ ନିଷ୍ପତ୍ତି ନେବାପାଇଁ କହିଛନ୍ତି। ଆଗାମୀ ମେ’ ୧୩-୧୫ରେ କଂଗ୍ରେସ ଦଳର ସାଂଗଠନିକ ପରିବର୍ତ୍ତନ ଏବଂ ଅନ୍ୟ ପ୍ରସଙ୍ଗ ନେଇ ଉଦୟପୁରରେ ଏକ ‘ନବ ସଂକଳ୍ପ ଚିନ୍ତନ ଶିବିର’ ଥିବାବେଳେ ଏହା ପୂର୍ବରୁ କଂଗ୍ରେସର ଚିନ୍ତା ବଢ଼ିଛି। ଗତ କିଛି ସପ୍ତାହ ମଧ୍ୟ‌ରେ ପାଇଲଟ୍‌ ସୋନିଆଙ୍କୁ ୩ ଥର ଭେଟିଛନ୍ତି। ପାଇଲଟ କହିଛନ୍ତି, ରାଜସ୍ଥାନରେ ଦଳ ପୁଣିଥରେ କିଭଳି କ୍ଷମତାକୁ ଫେରିବ ସେନେଇ ସୋନିଆଙ୍କ ସହ ଆଲୋଚନା ହୋଇଛି। ସୋନିଆ ଏଦିଗରେ ତୁରନ୍ତ ନିଷ୍ପତ୍ତି ନେବାପାଇଁ ସେ କହିଛନ୍ତି।

ତେବେ ପାଇଲଟ୍‌ ମୁଖ୍ୟମନ୍ତ୍ରୀ ପଦ ଚ‌ାହୁଥିବାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପାଇଲଟ୍‌ଙ୍କ ମଧ୍ୟରେ ପୁଣିଥରେ ବିବାଦ ଆରମ୍ଭ ହୋଇଯିବା ଆଶଙ୍କା ରହିଛି। ୨୦୨୦ରେ ରାଜସ୍ଥାନରେ କଂଗ୍ରେସ ସରକାରକୁ ବଡ଼ ଝଟ୍‌କା ଲାଗିଥିଲା। ସଚିନ ପାଇଲଟ୍‌ ଏବଂ ୧୯ ବିଧାୟକ ଗେହଲଟ୍‌ଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ତେବେ ପ୍ରାୟ ୧ ମାସର ଡ୍ରାମା ପରେ ପାଇଲଟ୍‌ ଟିମ୍‌ ଦଳକୁ ଫେରି ଆସିଥିଲେ। କିନ୍ତୁ ପାଇଲଟ୍‌ ଉପମୁଖ୍ୟମନ୍ତ୍ରୀ ପଦ ହରାଇ ଥିଲେ। ଏବେ ପୁଣି ଥରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଂଝା ଆରମ୍ଭ ହେବାକୁ ଯାଉଥିବାରୁ ଏଭଳି ସ୍ଥିତି ବିଜେପିକୁ ସୁହାଇବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର