୪ ମାସରେ ୪ ଦଳ ବିଜେପି ହାତ ଛାଡ଼ିଲେଣି: ୬ ବର୍ଷରେ ୧୯ ଦଳ ମୋଦୀ-ଶାହଙ୍କୁ ଝଟ୍‌କା ଦେଇଛନ୍ତି

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଆଭିମୁଖ୍ୟରେ ଅସନ୍ତୋଷ ପ୍ରକାଶ କରି ଶନିବାର ବିଜେପିର ସହଯୋଗୀ ଆର୍‌ଏଲ୍‌ପି (ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି) ଏନ୍‌ଡିଏ ଛାଡ଼ି ଦେଇଥିବା ବେଳେ ବିଗତ ୪ ମାସ ମଧ୍ୟରେ ୪ଟି ଦଳ ବିଜେପି ହାତ ଛାଡ଼ିଛନ୍ତି। ଏହା ପୂର୍ବରୁ ସେପ୍‌ଟେମ୍ବରରେ କୃଷି ଆଇନ ପ୍ରସଙ୍ଗରେ ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଶିରୋମଣୀ ଅକାଳୀ ଦଳ ଏନ୍‌ଡିଏ ଛାଡ଼ିଥିଲା। ମୋଦୀ ସରକାରରେ ମନ୍ତ୍ରୀ ଥିବା ହରସିମତ କୌର୍‌ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଇସ୍ତଫା ଦେଇଥିଲେ। ଅକ୍ଟୋବର ମାସରେ ମଧ୍ୟ ପି ସି ଥୋମାସ୍‌ଙ୍କ ନେତୃତ୍ବାଧୀନ କେରଳ କଂଗ୍ରେସ ମଧ୍ୟ ଏନ୍‌ଡିଏ ମେଣ୍ଟରୁ ଓହରି ଯାଇଥିଲା। ଅନ୍ୟପକ୍ଷରେ ଆସାମରେ ବୋଡୋଲ୍ୟାଣ୍ଡ୍‌ ପିପୁଲ୍‌ସ ଫ୍ରଣ୍ଟ୍‌ ମଧ୍ୟ ଅସନ୍ତୋଷ ଜାହିର କରି ଏନ୍‌ଡିଏ ଛାଡ଼ିଥିଲା। ତେବେ ନିକଟରେ କେତେକ ନୂଆ ଦଳ ଏନ୍‌ଡିଏରେ ସାମିଲ ହୋଇଛନ୍ତି ଏବଂ ଏବେ ୧୬ଟି ଦଳ ଏନ୍‌ଡିଏରେ ଅଛନ୍ତି। ବିହାରରେ ଜିତିନ ରାମ ମାଂଝିଙ୍କ ହମ୍‌, ମୁକେଶ ସାହଣୀଙ୍କ ଭିଆଇପି ଏନ୍‌ଡିଏରେ ସାମିଲ ହୋଇଛି। ବିଗତ ୬ ବର୍ଷରେ ୧୯ଟି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଝଟ୍‌କା ଦେଇଛନ୍ତି।

୨୦୧୪ ନିର୍ବାଚନରେ ବିଜେପି ବୃହତ୍ତର ଏନ୍‌ଡିଏ ମେଣ୍ଟ ଗଠନ କରି ନିର୍ବାଚନରେ ବଡ଼ ବିଜୟ ହାସଲ କରିଥିଲା। ଏହାପରେ ପ୍ରଥମେ ହରିୟାଣର ଜନହିତ କଂଗ୍ରେସ ଦଳ ଏନ୍‌ଡିଏ ଛାଡ଼ିଥିଲା। ଏହାପରେ ତାମିଲନାଡ଼ୁରେ ଏମ୍‌ଡିଏମ୍‌କେ ଏନ୍‌ଡିଏରୁ ଓହରିଥିବା ବେଳେ ପରବର୍ତ୍ତୀ ସମୟରେ ଡିଏମ୍‌ଡିକେ ଏବଂ ପିଏମ୍‌କେ ଏନ୍‌ଡିଏ ଛାଡ଼ିଥିଲା। ଆନ୍ଧ୍ର ପ୍ରଦେଶର ଅଭିନେତା ପବନ କଲ୍ୟାଣଙ୍କ ପାର୍ଟି ଜନାସେନା ମଧ୍ୟ ୨୦୧୪ରେ ବିଜେପିର ହାତ ଛାଡ଼ିଥିବା ବେଳେ ୨୦୧୬ରେ କେରଳର ରିଭୋଲ୍ୟୁସନାରି ସୋସାଲିଷ୍ଟ ପାର୍ଟି ବିଜେପି ମେଣ୍ଟରୁ ଓହରିଥିଲା। ୨୦୧୭ରେ ମହାରାଷ୍ଟ୍ରରେ ସ୍ବାଭିମାନ ପକ୍ଷ ଦଳ ଏନ୍‌ଡିଏରୁ ଅଲଗା ହୋଇଥିବା ବେଳେ ନାଗାଲ୍ୟାଣ୍ଡ୍‌ରେ ନାଗା ପିପୁଲ୍ସ ଫ୍ରଣ୍ଟ ଏନ୍‌ଡିଏ ଛାଡ଼ିଥିଲା। ୨୦୧୮ରେ ଏନ୍‌ଡିଏକୁ ବଡ଼ ଝଟ୍‌କା ଲାଗିଥିଲା ଏବଂ ଏହାର ଗୁରୁତ୍ବପୂର୍ଣ୍ଣ ସହଯୋଗୀ ତେଲୁଗୁ ଦେଶମ ପାର୍ଟି ଏନ୍‌ଡିଏରୁ ଓହରିଯାଇଥିଲା। ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ମଧ୍ୟ ୨୦୧୮ରେ ଏନ୍‌ଡିଏ ଛାଡ଼ିଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ମନ୍ତ୍ରୀ ଉପେନ୍ଦ୍ର କୁଶୱାହ (ଆର୍‌ଏଲ୍‌ଏସ୍‌ପି) ଏନ୍‌ଡିଏ ମେଣ୍ଟ ଛାଡ଼ି ଦେଇଥିଲେ। ଉତ୍ତର ପ୍ରଦେଶରେ ଓମ୍‌ପ୍ରକାଶ ରାଜଭରଙ୍କ ଦଳ ସୁହେଲଦେବ ଭାରତୀୟ ସାମଜ ପାର୍ଟି ମଧ୍ୟ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏରୁ ଓହରି ଯାଇଥିଲା। ୨୦୧୮ରେ ଜମ୍ମୁ କାଶ୍ମୀରରେ ବିଜେପି ସରକାରରୁ ଓହରିଯିବା ପରେ ପିଡିପି ଏନ୍‌ଡିଏ ମେଣ୍ଟରୁ ଓହରି ଆସିଥିଲା। ୨୦୧୯ରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପ୍ରସଙ୍ଗରେ ବିଜେପିର ୩୦ ବର୍ଷର ସହଯୋଗୀ ଶିବସେନା ଏନ୍‌ଡିଏ ମେଣ୍ଟ ଛାଡ଼ି କଂଗ୍ରେସ-ଏନ୍‌ସିପି ସହ ହାତ ମିଳାଇ ସରକାର ଗଠନ କଲା

ସମ୍ବନ୍ଧିତ ଖବର