ବର୍ଷର ଶେଷ ‘ମନ୍‌ କୀ ବାତ’ରେ ଯୁବପିଢ଼ିକୁ ପ୍ରଶଂସା, ଆତ୍ମନିର୍ଭର ଭାରତ କଥା କହିଲେ ମୋଦୀ

‘ମନ୍‌ କୀ ବାତ୍‌’ ବେଳେ ଥାଳି ବାଡ଼େଇଲେ ଚାଷୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୭୨ ତମ ତଥା ଚଳିତ ବର୍ଷର ଶେଷ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ ପରିବେଷଣ କରିଛନ୍ତି। ଦିଲ୍ଲୀ ସୀମାରେ ଯେତେବେଳେ ହଜାର ହଜାର କୃଷକ ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି, ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କର ନଜର ରହିଥିଲା। ଅପରପକ୍ଷେ, ତାହାକୁ ଅଣଦେଖା କରିବା ଲାଗି ଦେଶବାସୀ ଥାଳି ବାଡ଼େଇ ପ୍ରତିବାଦ କରିବାକୁ ଶନିବାର ଅନେକ କୃଷକ ନେତା ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆନ୍ଦୋଳନ କଥାକୁ ତାଙ୍କ ଉଦ୍‌ବୋଧନରେ ସ୍ଥାନ ନଦେଇ ଦେଶର ଯୁବପିଢ଼ିଙ୍କୁ ପ୍ରଶଂସାରେ ପୋତିଦେବାକୁ ପସନ୍ଦ କରିଛନ୍ତି। ସେହିପରି ଆତ୍ମନିର୍ଭର ଭାରତ ଗଢ଼ିବା ପାଇଁ ମଧ୍ୟ ତାଙ୍କର ପୁରୁଣା ସଂକଳ୍ପକୁ ଦୋହରାଇଛନ୍ତି। ଭାରତୀୟ ଯୁବଗୋଷ୍ଠୀକୁ ଦେଖିଲେ ତାଙ୍କୁ ଭରସା ମିଳିଲା ପରି ଲାଗେ ଏବଂ ସେ ଉଲ୍ଲସିତ ଓ ଉତ୍‌ଫୁଲ୍ଲିତ ହୋଇପଡ଼ନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେମାନଙ୍କର ସବୁକିଛି କରିପାରିବାର ଆଗ୍ରହ ଏବଂ କରିବାର ଉତ୍ସାହ ହିଁ ସେମାନଙ୍କ ସମ୍ପର୍କରେ ଏପରି ଭାବିବାକୁ ପଡ଼ିଛି ବୋଲି ସେ କହିଛନ୍ତି। ସେହିପରି କୌଣସି ଆହ୍ବାନ ଭାରତୀୟ ଯୁବକଙ୍କ ପାଇଁ ବଡ଼ ନୁହେଁ କି କୌଣସି ଲକ୍ଷ୍ୟ ସେମାନଙ୍କର ଅପହଞ୍ଚ ନୁହେଁ ବୋଲି କହି ମୋଦୀ ଯୁବକମାନଙ୍କୁ ଖୁବ୍‌ ଉତ୍ସାହିତ କରିଛନ୍ତି।

କରୋନା ଯୋଦ୍ଧାମାନଙ୍କୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିବା ସହ ବର୍ଷକ ଭିତରେ ଦେଶବାସୀଙ୍କ ମନରେ ଏକ ବିରାଟ ପରିବର୍ତ୍ତନ ଘଟିଛି ବୋଲି କହିଛନ୍ତି। ବର୍ତ୍ତମାନ ଉଦ୍ୟୋଗପତି ଓ ଶିଳ୍ପପତିମାନେ ବିଶ୍ବସ୍ତରୀୟ ଉତ୍ପାଦ ପ୍ରସ୍ତୁତ କରିବାକୁ ସେ ଆହ୍ବାନ କରିଛନ୍ତି। ପ୍ରତି ଘରେ ସମ୍ପ୍ରତି କଥାରେ କଥାରେ ଅଞ୍ଚଳର କଥା ମୁଖରିତ ହେଉଥିବା ବେଳେ ଆମର ଦେଶୀୟ ଉତ୍ପାଦ ଯେପରି ବିଶ୍ବ ସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିପାରିବ ସେଥିପ୍ରତି ଉଦ୍ୟୋଗୀମାନେ ସଜାଗ ହେବାକୁ ସେ ଆହ୍ବାନ କରିଛନ୍ତି। କରୋନା ପାଇଁ ସମଗ୍ର ବିଶ୍ବର ଯୋଗାଣ ବ୍ୟବସ୍ଥା ଠପ୍‌ ହୋଇଯାଇଛି। ତେବେ ପ୍ରତି ସଂକଟରୁ ଆମକୁ କିଛି ଶିଖିବାକୁ ପଡ଼ିଛି। ନୂତନ ଦକ୍ଷତା ହିଁ ଆତ୍ମନିର୍ଭର ଭାରତ ପରି ସ୍ବପ୍ନର ବାସ୍ତବ ରୂପରେଖ ବୋଲି ସେ କହିଛନ୍ତି। ସେହିପରି ଦେଶର ବନାଞ୍ଚଳ ଆୟତନରେ ବୃଦ୍ଧି ଘଟିବା ସହ ଚିତାବାଘ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବଢ଼ିଥିବାରୁ ସେ ଖୁସି ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର