ତ୍ରିପୁରାରେ ଗୋମାଂସ ନିଷେଧକୁ ‘ନା’ କହୁଛନ୍ତି ଜଣେ ବିଜେପି ନେତା

ନୂଆଦିଲ୍ଲୀ: ତ୍ରିପୁରାରେ ଗୋମାଂସ ନିଷେଧ ବିଷୟରେ ନିଜର ମତ ସ୍ପଷ୍ଟ କରି ବିଜେପି ନେତା ସୁନୀଲ ଦେଓଧର କହିଲେ ଯେ ବହୁଳାଂଶ ଲୋକେ ଗୋମାଂସ ଭକ୍ଷଣ କରୁଥିବା ରାଜ୍ୟଗୁଡ଼ିକରେ ନିଷେଧାଦେଶ ଲାଗୁ ହେବା ଅନୁଚିତ।

ଦେଓଧର କହନ୍ତି: ତ୍ରିପୁରାରେ ବହୁ ଲୋକେ ଖ୍ରୀଷ୍ଟିୟାନ ଏବଂ ମୁସଲମାନ, କେତେକ ହିନ୍ଦୁ ମଧ୍ୟ ଗୋମାଂଶ ଭକ୍ଷଣ କରନ୍ତି। ମୋର ବିଶ୍ୱାସ ସେଠାରେ ଏହା ଉପରେ ନିଷେଧାଦେଶ ଜାରି କରାଯିବା ଅନୁଚିତ।

ରାଜ୍ୟରେ ନିକଟରେ ସମ୍ପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦେଓଧର କହିଲେ କି, ନିର୍ଦ୍ଦିଷ୍ଟ ରାଜ୍ୟରେ ଗୋମାଂସ ନିଷେଧ କରିବା ପାଇଁ ସେ ରାଜ୍ୟର ଜନସାଧାରଣଙ୍କ ବହୁଳ ପସନ୍ଦକୁ ବିଚାରକୁ ନିଆଯିବା ଆବଶ୍ୟକ। କେତେକ ନିଷ୍ପତ୍ତି ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ନିଆଯିବା କଥା।

ଗତବର୍ଷ ଜଣେ ବରିଷ୍ଠ ବିଜେପି ନେତା ମେଘାଳୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି, ଯଦି ତାଙ୍କ ଦଳ ରାଜ୍ୟରେ କ୍ଷମତାକୁ ଆସେ ତେବେ ଗୋମାଂସ ଉପରେ ନିଷେଧାଦେଶ ହେବନାହିଁ, କିନ୍ତୁ ମାଂସର ସୁଲଭ ବ୍ୟବହାର ପାଇଁ ଦର ଏବଂ କଂସେଇଖାନା ଉପରେ ନିୟନ୍ତ୍ରଣ ଅଣାଯିବ।

ସମ୍ବନ୍ଧିତ ଖବର