ସହରାଞ୍ଚଳରେ ଗରିଲା କୌଶଳ ଆପଣେଇବେ ମାଓବାଦୀ

ସହରୀ ନେଟ୍‌ୱର୍କ ସଂପ୍ରସାରଣ ଯୋଜନା

ନୂଆଦିଲ୍ଲୀ: ନିଜ ଆନ୍ଦୋଳନର ଲକ୍ଷ୍ୟ ହାସଲ ପାଇଁ ମାଓବାଦୀମାନେ ସହରାଞ୍ଚଳରେ ନିଜର ନେଟ୍‌ୱର୍କ ସମ୍ପ୍ରସାରିତ କରିବାକୁ ବଡ଼ ଯୋଜନା କରିଛନ୍ତି ଏବଂ ସରକାରୀ ଗୋଇନ୍ଦା ସଂସ୍ଥାକୁ ଚକ୍‌ମା ଦେଇ ସହରାଞ୍ଚଳରେ ବି ଗରିଲା ରଣକୌଶଳ ଆପେଣଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ୨୦୧୮ରେ କୋରେଗାଓଁ-ଭୀମା ସଂଘର୍ଷ ପରେ ମାଓବାଦୀଙ୍କ ସହରୀ ନେତୃତ୍ବକୁ ଶକ୍ତ ଧକ୍କା ଲାଗିଥିଲା। ଏହାପରେ ସେମାନେ ୨୦୧୯ରେ ୭ ଜଣ ସିପିଆଇ (ମାଓବାଦୀ) ସଦସ୍ୟଙ୍କୁ ନେଇ ନିଜର ସହରୀ ନେଟ୍‌ୱାର୍କ ପୁଣି ସମ୍ପ୍ରସାରିତ କରିବାକୁ ଚେଷ୍ଟା କଲେ। ସେମାନେ ଏହା ପୂର୍ବରୁ ମୁମ୍ବାଇ, ପୁଣେ, ନାଗପୁର, ଦିଲ୍ଲୀ, କୋଲକାତା ଓ ଅନ୍ୟ କେତେକ ସହରରେ ନିଜର ନେଟ୍‌ୱାର୍କକୁ ସଂଗଠିତ କରିସାରିଛନ୍ତି। ଏହିସବୁ ସହରରେ ସେମାନେ ସଂଗଠକ ନିଯୁକ୍ତ କରିବା ସହ ସେମାନଙ୍କ ସହିତ ନିୟମିତ ଜୁମ୍ ମିଟିଂ କରୁଛନ୍ତି ଏବଂ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ଆଲୋଚନା କରୁଛନ୍ତି ବୋଲି ପ୍ରାପ୍ତ ସୂତ୍ରରୁ ଜଣାପଡ଼ିଛି।

ମାଓବାଦୀମାନେ ସାଧାରଣତଃ ଜାତିଆଣ ଓ ଧାର୍ମିକ ରାଜନୀତି ଦ୍ବାରା ସୃଷ୍ଟ ସାମାଜିକ ଓ ସାମ୍ପ୍ରଦାୟିକ ବିଭେଦରୁ ଫାଇଦା ଉଠାଇ ଲୋକମାନଙ୍କ ଭିତରେ ଦେଶ ଓ ସରକାରଙ୍କ ପ୍ରତି ରହିଥିବା ଅସନ୍ତୋଷକୁ ବଢ଼ାଇ ସେମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାନ୍ତି। ଦିଲ୍ଲୀ ଓ କୋଲକାତାର ପ୍ରମୁଖ ବିଶ୍ବବିଦ୍ୟାଳୟରେ ମାଓବାଦୀଙ୍କ ନେଟ୍‌ୱାର୍କ ବେଶ୍ ସୁଦୃଢ଼ ରହିଛି। ଦିଲ୍ଲୀରେ ସେମାନଙ୍କ କାର୍ଯ୍ୟକଳାପ ସବୁଠାରୁ ଅଧିକ ଜୋରରେ ଚାଲିଛି। ବର୍ତ୍ତମାନ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଜଙ୍ଗଲରେ ସେମାନେ ଯେପରି ଗରିଲା ଯୁଦ୍ଧର କୌଶଳ ଆପଣେଇଥାନ୍ତି, ସହରାଞ୍ଚଳରେ ବି ସେମିତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣି ମଣିପୁର, ବାଂଲାଦେଶ ଓ ନେପାଳରେ ଥିବା ସେମାନଙ୍କ ସଦୃଶ ଚିନ୍ତାଧାରାସମ୍ପନ୍ନ ଗୋଷ୍ଠୀଗୁଡ଼ିକ ସହ ସମନ୍ବୟ ରକ୍ଷା କରି ଅସ୍ତ୍ରଶସ୍ତ୍ର, ଟଙ୍କା ଓ ସୂଚନା ଆଦାନପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ମଧ୍ୟ ସେମାନେ ଯୋଜନା କରିଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର