୧୦୬ ବର୍ଷରେ ମୃତ୍ୟୁବରଣ କଲେ ସ୍ବାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମଶରଣ ନେଗି

କିନ୍ନୁର: ଆଜି ପ୍ରତ୍ୟୁଷରେ ସ୍ବାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମଶରଣ ନେଗିଙ୍କର ଦେହାନ୍ତ ହୋଇଯାଇଛି। ହିମାଚଳ ପ୍ରଦେଶର କିନ୍ନୁର ନିବାସୀ ନେଗି ଆଗାମୀ ହିମାଚଳ ପ୍ରଦେଶ ନିର୍ବାଚନ ନିମନ୍ତେ ନଭେମ୍ବର ୨ ତାରିଖ ବୁଧବାର ଦିନ କଲ୍‌ପାସ୍ଥିତ ତାଙ୍କ ବାସଭବନରେ ପୋଷ୍ଟାଲ୍‌ ବାଲଟ୍‌ ମାଧ୍ୟମରେ ୧୪ଶ ଭୋଟ୍‌ ଦେଇଥିଲେ।

ପରିଣତ ବୟସରେ ବି ସେ ଭୋଟ୍‌ ଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଉଥିଲେ। କିନ୍ତୁ, ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ପୋଷ୍ଟାଲ୍‌ ବାଲଟ୍‌ ଜରିଆରେ ୧୪ଶ ବିଧାନସଭା ନିମନ୍ତେ ଭୋଟ୍‌ ଦେବେ ବୋଲି ସରକାରୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ଫର୍ମ ପକାଇଥିଲେ। ୧୯୫୧‌ରେ ପ୍ରଥମେ ଭାରତର ସାଧାରଣ ନିର୍ବାଚନରେ ଭୋଟ୍‌ ଦେଇଥିବା ନେଗି ଲୋକସଭା ନିର୍ବାଚନରେ ୧୬ ଥର ଭୋଟ୍‌ ଦେଇଛନ୍ତି।

କିନ୍ନୁର ଜିଲ୍ଲାପାଳ ଆବିଦ୍‌ ହୁସେନ୍‌ କହିଛନ୍ତି ଯେ, ତାଙ୍କର ଅନ୍ତ୍ୟେଷ୍ଟି ନିମନ୍ତେ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁଛି। ତାଙ୍କୁ ସମ୍ମାନ ଚିରବିଦାୟ ଦେବା ନିମନ୍ତେ ବାଜା ପାର୍ଟି ବି ଡକାଯାଇଛି।

Image Courtesy of Times of India

୧୯୧୭ ଜୁଲାଇ ୧ ଜନ୍ମିତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୁନ୍ନୁର ବାସିନ୍ଦା ନେଗି ଏହାକୁ ମିଶାଇ ହିମାଚଳ ପ୍ରଦେଶ ନିମନ୍ତେ ୩୪ଥର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

କଲ୍ପାର ସରକାରୀ ସ୍କୁଲ୍‌ରେ ଶିକ୍ଷକତା କରୁଥିବା ବେଳେ ଦେଶର ପ୍ରଥମ ନିର୍ବାଚନରେ ତାଙ୍କର ‘ପୋଲ୍‌ ଡିୟୁଟି’ ପଡ଼ିଥିଲା। ତେଣୁ, ତାଙ୍କ ଗାଁରେ ଥିବା ‘ପୋଲିଙ୍ଗ୍‌ ପାର୍ଟି’କୁ ସେ ଅନୁରୋଧ କରି କହିଥିଲେ କି, ମୋ ପାଇଁ ଟିକେ ଆଗୁଆ ଭୋଟ୍‌ ଦେବା ବ୍ୟବସ୍ଥା କରିଦେଲେ ମୁଁ ଭୋଟ୍‌ ଦେଇ ଦେଇ ‘ଡିୟୁଟି’ ପଡ଼ିଥିବା ବୁଥ୍‌କୁ ଯାଆନ୍ତି। ସେଠାରେ ଥିବା ନିର୍ବାଚନ ଅଧିକାରୀ ତାଙ୍କ ଅନୁରୋଧ ରକ୍ଷା କରିବାରୁ ନେଗି ଦେଶର ପ୍ରଥମ ଭୋଟର୍‌ ହେବାର ଗୌରବ ଅର୍ଜନ କରିଥିଲେ। ସେଦିନ ଥିଲା ୧୯୫୧ ମସିହା ଅକ୍ଟୋବର ୨୫ ତାରିଖ। ସେ ପଞ୍ଚାୟତ ହେଉ କି, ଲୋକସଭା ନିର୍ବାଚନ ହେଉ- ସେବେଠାରୁ ସେ କୌଣସି ଭୋଟ୍‌ ‘ମିସ୍‌’ କରି ନ ଥିଲେ।

ଏହା ବ୍ୟତିରେକେ, ହିନ୍ଦୀ ଚଳଚ୍ଚିତ୍ର ‘ସନମ୍‌ ରେ’ ମଧ୍ୟ ଶ୍ୟାମଶରଣ ନେଗି ଅତିଥି ଅଭିନେତା ଭାବେ ଦେଖା ଦେଇଛନ୍ତି।

ସମ୍ବନ୍ଧିତ ଖବର