ଭାରତ ମୁସ୍‌ଲିମଙ୍କ ପ୍ରତି ପାତରଅନ୍ତର କରୁଛି: ଇମ୍ରାନ୍‌

ଅଭିଯୋଗକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଭାରତ ସରକାର ମୁସ୍‌ଲିମଙ୍କ ପ୍ରତି ପାତରଅନ୍ତର କରୁଛି ବୋଲି ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିଯୋଗ ଆଣିବା ପରେ ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଭାରତ ମୁସ୍‌ଲିମ ସମାଜକୁ ବଦନାମ କରୁଛି ଏବଂ କରୋନା ଭାଇରସ ସଂକ୍ରମଣ ପାଇଁ ସେମାନଙ୍କୁ ଦାୟୀ କରୁଛି ବୋଲି ଇମ୍ରାନ୍‌ କହିଛନ୍ତି। ତେବେ ଇମ୍ରାନ୍‌ଙ୍କ ଏଭଳି ଅଭିଯୋଗ ଭିତ୍ତିହୀନ ଓ ବିରକ୍ତିକର ବୋଲି କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶର ଆଭ୍ୟନ୍ତରୀଣ କନ୍ଦଳ ଉପରେ ନଜର ହଟାଇବାକୁ ଯାଇ ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ବୋଲି ଭାରତ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ସମଗ୍ର ବିଶ୍ବ ‌ଏବେ କରୋନା ଭାଇରସକୁ ମୁକାବିଲା କରୁଥିବା ବେଳେ ପାକିସ୍ତାନ ନିଜ ପଡ଼ୋଶୀ ବିରୋଧରେ ମିଛ ଅଭିଯୋଗ ଆଣିବାରେ ବ୍ୟସ୍ତ ଅଛି ବୋଲି ଶ୍ରୀବାସ୍ତବ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ପାକିସ୍ତାନ ହିଁ ସଂଖ୍ୟାଲଘୁମାନଙ୍କ ପ୍ରତି ପାତରଅନ୍ତର କରୁଥିବା ସମସ୍ତେ ଜାଣନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର