ଆମେରିକା ପରେ ଭାରତରେ ସର୍ବାଧିକ ଗୁରୁତର ଅସୁସ୍ଥ

ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ଅତିକ୍ରମ କଲା, ଭାରତରେ ୮୯୪୪ ଗୁରୁତର ରୋଗୀ

ନୂଆଦିଲ୍ଲୀ: ଭାରତରେ ଏବେ କରୋନାଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ସଂକ୍ରମଣ ମାମଲାରେ ଭାରତ ବିଶ୍ବରେ ପଞ୍ଚମ ସ୍ଥାନରେ ଥିଲେ ମଧ୍ୟ ଗୁରୁତର କରୋନା ରୋଗୀଙ୍କ ସଂଖ୍ୟା ଆମେରିକା ପରେ ଭାରତରେ ହିଁ ସର୍ବାଧିକ ରହିଛି। ଆମେରିକାରେ ଗୁରୁତର ରୋଗୀଙ୍କ ସଂଖ୍ୟା ୧୬,୯୨୩ ଥିବା ବେଳେ ଭାରତରେ ୮୯୪୪ ରହିଛି । ଭାରତଠାରୁ ସଂକ୍ରମଣରେ ରୁଷ୍‌ ଏବଂ ବ୍ରାଜିଲ ଯଥେଷ୍ଟ ଆଗରେ ଥିଲେ ମଧ୍ୟ ସେଠାରେ ଏତେ ସଂଖ୍ୟକ ଗୁରୁତର ରୋଗୀ ନାହାନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଦେଶରେ ୫ ପ୍ରତିଶତରୁ କମ୍‌ ଲୋକ ଅତି ଗୁରୁତର ଭାବେ ପୀଡ଼ିତ ଅଛନ୍ତି ଏବଂ ସେମାନଙ୍କ କ୍ଷେତ୍ରରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି। ଏଥିରୁ ୨.୨୫ ପ୍ରତିଶତ ରୋଗୀ ଆଇସିୟୁରେ ଥିବା ବେଳେ ୧.୯୧ ପ୍ରତିଶତ ଲୋକ କୃତ୍ରିମ ଅକ୍ସିଜେନ୍‌ ବ୍ୟବସ୍ଥାରେ ଅଛନ୍ତି। ଦେଶର ଅଧିକାଂଶ ଗୁରୁତର ରୋଗୀ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଂଗ ଏବଂ ମଧ୍ୟପ୍ରଦେଶରେ ଥିବା ଜଣାପଡ଼ିଛି। ରୁଷ୍‌ରେ ଭାରତଠାରୁ ଦୁଇ ଗୁଣ ଲୋକ ସଂକ୍ରମିତ ହୋଇଛନ୍ତି। ଏହା ସତ୍ତ୍ବେ ଭାରତ ତୁଳନାରେ ରୁଷ୍‌ରେ କମ୍‌ ମୃତ୍ୟୁ ହୋଇଛି ।

ଭାରତରେ ୭ ହଜାରରୁ ଅଧିକ ଲୋକ କରୋନ‌ାରେ ପ୍ରାଣ ହରାଇଥିବା ବେଳେ ରୁଷ୍‌ରେ ପ୍ରାୟ ୬ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୯୯୮୭ ମାମଲା ସାମ୍ନାକୁ ଆସିଛି। ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ଅତିକ୍ରମ କରିଯାଇଛି । ଦେଶରେ ଆଜି ସୁଦ୍ଧା ପ୍ରାୟ ୭୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ୩୧୬୯ ମୃତ୍ୟୁ କେବଳ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଦିଲ୍ଲୀରେ ସର୍ବାଧିକ କରୋନା ପ୍ରଭାବିତ ହୋଇଥିବା ବେଳେ ମହାରାଷ୍ଟ୍ରରେ ଆଜି ମୋଟ ମାମଲା ୮୮ ହଜାର ଅତିକ୍ରମ କରିଯାଇଛି। ତାମିଲନାଡ଼ୁରେ ୩୩ ହଜାରରୁ ଅଧିକ ଆକ୍ରାନ୍ତ ଥିବା ବେଳେ ପ୍ରାୟ ୧୫ ହଜାର ୫ ଶହଟି ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର