ଭାରତ ଏବେ ଜି-୨୦ ଅଧ୍ୟକ୍ଷ

ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ମୋଦୀ

ନୂଆଦିଲ୍ଲୀ : ଇଣ୍ଡୋନେସିଆ ଅଧ୍ୟକ୍ଷତାରେ ବାଲିରେ ଆୟୋଜିତ ଜି-୨୦ ସମ୍ମିଳନୀ ବୁଧବାର ଶେଷ ହୋଇଛି। ବୈଠକ ଶେଷ ହେବା ସହ ଇଣ୍ଡୋନେସିଆ ଭାରତକୁ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ବ ହସ୍ତାନ୍ତର କରିଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଜି-୨୦ ଅଧ୍ୟକ୍ଷତ‌ା ଦାୟିତ୍ବ ଗ୍ରହଣ କରିଛନ୍ତି।

ଏହି ଅବସରରେ ମୋଦୀ କହିଛନ୍ତି, ଭାରତ ଜି-୨୦ ର ଅଧ୍ୟକ୍ଷତା‌ ଦାୟିତ୍ବ ନେଉଥିବାରୁ ଏହା ପ୍ରତି ଭାରତୀୟଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ। ଆମେ ଭାରତର ବିଭିନ୍ନ ରାଜ୍ୟ ଏବଂ ସହରରେ ଜି-୨୦ ବୈଠକ ପରିଚାଳନା କରିବୁ। ଆମେ ଜି-୨୦କୁ ବୈଶ୍ବିକ ପରିବର୍ତ୍ତନ ପାଇଁ ଏକ ମୁଖ୍ୟ ସ୍ରୋତରେ ପରିଣତ କରିବୁ। ଭାରତର ଜି-୨୦ ଅଧ୍ୟକ୍ଷତା ‘ବ୍ୟାପକ, ଲକ୍ଷ୍ୟଭେଦୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟ-ଆଧାରିତ’ ହେବ। ଜି-୨୦ ଆଗାମୀ ବର୍ଷରେ ସାମୁହିକ କାର୍ଯ୍ୟକୁ ପ୍ରେରଣା ଯୋଗାଇବା ପାଇଁ ବୈଶ୍ବିକ ସ୍ତର‌‌ରେ ଏକ ମୁଖ୍ୟ ପ୍ରସ୍ତାବକ ଭାବେ କାମ କରିବ ବୋଲି ଆମର ପ୍ରୟାସ ରହିବ ବୋଲି ମୋଦୀ କହିଛନ୍ତି।

ଭାରତ ଆସନ୍ତା ଡିସେମ୍ବର ୧, ୨୦୨୨ରୁ ୧ ବର୍ଷ ପାଇଁ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ। ଭାରତର ଅଧ୍ୟକ୍ଷତା ଅଧୀନରେ ଭାରତ ଦେଶବ୍ୟାପୀ ୨୦୦ରୁ ଅଧିକ ପ୍ରାରମ୍ଭିକ ଏବଂ ଅନ୍ୟାନ୍ୟ ବୈଠକ କରିବ। ଜି-୨୦ ବୈଠକ ପାଇଁ ଉପଯୁକ୍ତ କାର୍ଯ୍ୟସ୍ଥଳ ଚୟନ କରିବାକୁ ପ୍ରକ୍ରିୟା‌ ଜାରି ରହିଛି। ତାମିଲନାଡ଼ୁଠାରୁ ଆରମ୍ଭ କରି ଜମ୍ମୁ କାଶ୍ମୀରର କିଛି ସ୍ଥାନକୁ ଜି-୨୦ ବୈଠକ ପାଇଁ ବିଚାରକୁ ନିଆଯାଇଛି।

ସମ୍ବନ୍ଧିତ ଖବର