ଭାରତ ଉଭୟ ଋଷ ଓ ଆମେରିକାକୁ ଭୁଆଁ ବୁଲାଉଛି : ଚୀନ ଗଣମାଧ୍ୟମ

ବେଜିଂ : ଭାରତ-ଆମେରିକା ମଧ୍ୟରେ ବଢିଚାଲିଥିବା ସାମରିକ ସଂପର୍କକୁ ନେଇ ଚୀନ ଗଣମାଧ୍ୟମରେ ଚିନ୍ତା ପ୍ରକଟ କରାଯାଇଛି । ଭାରତ ଏକା ସମୟରେ ଆମେରିକା,ଋଷିଆ ଓ ଚୀନ ସହ ଖେଳ ଖେଳିଚାଲିଛି ବୋଲି ଚୀନର ସରକାରୀ ନିୟନ୍ତ୍ରିତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ କହିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଇରାନଠାରୁ ତେଲ ଆମଦାନୀ ଓ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ପ୍ରସଙ୍ଗରେ ମନେକରାଯାଉଥିଲା ଯେ ଆମେରିକା ଭାରତ ସହ ସାମରିକ ଚୁକ୍ତି କରିବନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ଜନକଭାବେ ଭାରତ ପାଇଁ ଆମେରିକା ନିଜ ନିୟମରେ କୋହଳତା ଆଣିଛି । ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଭାରତ ଓ ଆମେରିକା ମଧ୍ୟରେ ପ୍ରଥମ ୨+୨ ବୈଠକ ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ ଓ ପରରାଷ୍ଟ୍ର ବିଭାଗ ସଚିବ ମାଇକ ପମ୍ପେଓଙ୍କ ମଧ୍ୟରେ ହୋଇଥିଲା । ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ସାମରିକ ବିଷୟ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି । ଏହା ମଧ୍ୟରେ ପ୍ରମୁଖ ହେଉଛି ଭାରତକୁ ପ୍ରମୁଖ ସାମରିକ ସାଥୀ କରିବା, ଭାରତକୁ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ହସ୍ତାନ୍ତର ଉପରେ ଥିବା କଟକଣାକୁ ଲାଘବ କରିବା, ସୀମାପାର ଆତଙ୍କବାଦ, ଏନଏସଜିରେ ଭାରତର ସଦସ୍ୟତା ଓ ଏଚ୧ବି ଭିସା ପ୍ରସଙ୍ଗ ।

ସମ୍ବନ୍ଧିତ ଖବର