ଭାରତରେ କରୋନାଭାଇରସ୍: ୩୦ ରାଜ୍ୟ ଓ କେନ୍ଦ୍ରସାଶିତ ଅଞ୍ଚଳ ଲକଡାଉନ୍; ଆକ୍ରାନ୍ତଙ୍କ ସଂଖ୍ୟା ୪୯୯ରେ ପହଞ୍ଚିଲା

ନୂଆଦିଲ୍ଲୀ: କରୋନାଭାଇରସ୍ ବ୍ୟାପିବା କାରଣରୁ ସତର୍କତା ସ୍ବରୂପ ଭାରତର ୩୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲକଡାଉନ୍ କରାଯାଇଛି । ଦେଶର ସମୁଦାୟ ୫୪୮ଟି ଜିଲ୍ଲାକୁ ଲକଡାଉନ ଅନ୍ତର୍ଭୁକ୍ତ କରାଯାଇଛି । କିନ୍ତୁ ତିନିଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ  ଲକଡାଉନ୍ ଘୋଷଣା ହୋଇଛି । ସେଗୁଡ଼ିକ ମଧ୍ୟରେ ପ୍ରାୟ ୫୮ଟି ଜିଲ୍ଲା ରହିଛି।

ପ୍ରାପ୍ତ ସୂଚନା ଅନୁସାରେ, ସମଗ୍ର ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ଦିନ ୯୯ଟି ନୂଆ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି । ଏପର୍ଯ୍ୟନ୍ତ ଦେଶରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ । ଏହାକୁ ମିଶାଇ ସମଗ୍ର ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୯୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୪୦ଜଣ ବିଦେଶୀ ନାଗରିକ ଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ।

Image Source: Hindustan Times

ସୋମବାର ଠାରୁ ପଞ୍ଜାବ, ମହାରାଷ୍ଟ୍ର ଏବଂ ପୁଡୁଚେରୀରେ କର୍ଫ୍ୟୁ ଜାରି ହୋଇଛି । ଲକଡାଉନ ଉଲ୍ଲଂଘନ କରି ପ୍ରଥମ ଦିନରେ ସମଗ୍ର ଦେଶରେ ବହୁ ବ୍ୟକ୍ତି ଗିରଫ ହୋଇଛନ୍ତି । ପଞ୍ଜାବ, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ପୁଲିସ ଉଲ୍ଲଂଘନକାରୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଛି । ଏଥିସହ ପୁଲିସ ଏକ ବାର୍ତ୍ତା ଦେଇ ଲେଖିଛି ଏମାନେ ଘରେ ରହୁ ନ ଥିବାରୁ ସମାଜର ବିରୁଦ୍ଧାଚରଣ କରୁଛନ୍ତି । ହରିୟାଣା ଓ ରାଜସ୍ଥାନରେ ପୁଲିସ କେତେକ ଉଲ୍ଲଂଘନକାରୀଙ୍କ ଗାଡ଼ି ଜବତ କରିଛି । ଲୋକେ ପ୍ରକୃତରେ କୌଣସି ଜରୁରୀ କାମରେ ବାହାରକୁ ଯାଉଛନ୍ତି କି, ନାହିଁ ପରଖିବାକୁ ବିଭିନ୍ନ ସ୍ଥାନରେ ବେରିକେଡ୍ କରା ଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଖରିଦ କରିବା ପାଇଁ ଲୋକମାନଙ୍କୁ ବଜାରକୁ ଛଡ଼ାଯାଉଛି ।

ସମ୍ବନ୍ଧିତ ଖବର