ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ଭାରତ ଦୈନିକ ୨,୩୨୦ କରୋନା ମୃତ୍ୟୁ ଦେଖିବ

ନୂଆଦିଲ୍ଲୀ : ସଂକ୍ରମଣର ଦ୍ବିତୀୟ ଲହରରେ ସଂକ୍ରମଣ ସହ କରୋନା ମୃତ୍ୟୁ ବଢ଼ୁଛି। ଦେଶରେ ଏବେ କରୋନା ମୃତ୍ୟୁ ଦୈନିକ ୧ ହଜାରରୁ ଅଧିକ ରହୁଛି। ଆଗକୁ ଦୈନିକ କରୋନା ମୃତ୍ୟୁ ୧୭୫୦ ରହିବ ଏବଂ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ଦେଶ ଦୈନିକ ୨,୩୨୦ ମୃତ୍ୟୁ ଦେଖିବ ବୋଲି ଲାନ୍‌ସେଟ୍‌ ରିପୋର୍ଟରୁ ଜଣାପଡ଼ିଛି। ‘ମ୍ୟାନେଜିଂ ଇଣ୍ଡିଆସ୍‌ ସେକେଣ୍ଡ୍‌ କୋଭିଡ୍‌ ୱେଭ୍‌- ଅର୍ଜେଣ୍ଟ୍‌ ‌ଷ୍ଟେପ୍‌ସ’ ନାମରେ ପ୍ରକାଶ ପାଇଥିବା ଏହି ରିପୋର୍ଟ‌ରେ ସଂକ୍ରମଣ କମାଇବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଥିବା କୁହାଯାଇଛି।

ରିପୋର୍ଟ ଅନୁଯାୟୀ ପ୍ରାଥମିକ ଅନୁଶୀଳନରୁ ଏହା ଜଣାପଡ଼ିଛି ଯେ, ୨୦୨୦ ଅଗଷ୍ଟ- ସେପ୍ଟେମ୍ବରରେ ପ୍ରଥମ ଲହର ସଂକ୍ରମଣ ସମୟରେ ୬୦-୧୦୦ ଟି ଜିଳ୍ଲାରୁ ୭୫ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। କିନ୍ତୁ ଦ୍ବିତୀୟ ଲହରରେ ୨୦-୪୦ଟି ଜିଲ୍ଲାରେ ୭୫ ପ୍ରତିଶତ ସଂକ୍ରମଣ ମାମଲା ରହିଛି। ଦୁଇଟି ଗୁରୁତ୍ବପୂର୍ଣ୍ଣ ଉପାୟରେ ପ୍ରଥମ ଲହରଠାରୁ ଦ୍ବିତୀୟ ଲହର ଭିନ୍ନ। ପ୍ରଥମତଃ ପ୍ରଥମ ଲହରରେ ସଂକ୍ରମଣ ଖୁବ୍‌ ଦ୍ରୁତ ଗତିରେ ମାଡ଼ୁଛି।‌ ଫେବ୍ରୁଆରିରୁ ଏପ୍ରିଲ ମଧ୍ୟରେ ସଂକ୍ରମଣ ମାମଲା ୧୦ ହଜାରରୁ ୮୦ ହଜାରକୁ ବୃଦ୍ଧି ପାଇଥିଲା। ଦ୍ବିତୀୟ ଲହରରେ ସଂକ୍ରମଣ ମାମଲା ୧୦ ହଜାରରୁ ୮୦ ହଜାର ହେବାପାଇଁ ୪୦ ଦିନ ଲାଗିଛି। କିନ୍ତୁ ପ୍ରଥମ ଲହରରେ ଏହା ୮୩ ଦିନ ଥିଲା। ଦ୍ବିତୀୟ ଲହରରେ ମଧ୍ୟ ଅଧିକାଂଶ ମାମଲାରେ ଲକ୍ଷଣ ଦେଖାଦେଉନାହିଁ। ଫଳରେ ଅତି ବିଳମ୍ବ ହୋଇଯିବାରୁ ରୋଗୀ ବିଳମ୍ବରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଉଛନ୍ତି । ଫଳରେ ମୃତ୍ୟୁସଂଖ୍ୟା ବଢ଼ୁଛି। ପ୍ରଥମ ଲହରରେ ସଂକ୍ରମଣ ବଢ଼ିଥିଲେ ସୁଦ୍ଧା ମୃତ୍ୟୁହାର କମ୍‌ ଥିଲା। କିନ୍ତୁ ଦ୍ବିତୀୟ ଲହରରେ ମୃତ୍ୟୁହାର ମଧ୍ୟ ବଢ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର