ବାୟୁସେନା ହେଲିକପ୍ଟରକୁ ଭାରତୀୟ କ୍ଷେପଣାସ୍ତ୍ର ମାଡ଼

୫ ବାୟୁସେନା ଅଧିକାରୀ ଦୋଷୀସାବ୍ୟସ୍ତ

ନୂଆଦିଲ୍ଲୀ : ଫେବ୍ରୁଆରି ୨୬ ତାରିଖରେ ଭାରତୀୟ ବାୟୁସେନା ଦ୍ବାରା ପାକିସ୍ତାନର ବାଲାକୋଟ୍‌ରେ ହୋଇଥିବା ବିମାନ ଆକ୍ରମଣ ପରେ ୨୭ ତାରିଖରେ ଶ୍ରୀନଗରରେ ଭାରତର ଏକ ବାୟୁସେନା‌ ହେଲିକପ୍ଟରକୁ ‌କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦିଆଯାଇଥିଲା। ଏଥିଯୋଗୁଁ ୬ ଜଣଙ୍କ ମୃତ୍ୟୁ ‌ହୋଇଥିଲା। ବାୟୁସେନାର ଏହି ଏମ୍‌ଆଇ-୧୭ ଭି୫ ହେଲିକପ୍ଟରକୁ ବାୟୁସେନାର ସାମ୍‌ (ସର୍ଫେସ୍‌ ଟୁ ଏୟାର ମିସାଇଲ୍‌) କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦିଆଯାଇଥିଲା। ତେବେ ଏହି ମାମଲାରେ ବାୟୁସେନା ମୁଖ୍ୟାଳୟ ଦ୍ବାରା କୋର୍ଟ ଏଫ୍‌ ଏନକ୍ବାରି ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଜଣେ ଗ୍ରୁପ୍‌ କ୍ୟାପଟେନ୍‌, ୨ ଜଣ ୱିଙ୍ଗ୍‌ କମାଣ୍ଡର ଏବଂ ୨ ଜଣ ବିମାନ ଲେପ୍ଟନାଣ୍ଟ୍‌ଙ୍କ ସମେତ ସମୁଦାୟ ୫ ଜଣ ଏହି ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଏମ୍‌ଆଇ -୧୭ ଭି୫ ଖସାଇବା ସମୟରେ ଏହି ଅଧିକାରୀମାନେ ସଠିକ୍‌ ଉପାୟ ଅବଲମ୍ବନ କରିନଥିଲେ ଏବଂ ଦାୟିତ୍ବରେ ଅବହେଳା କରିଥିବାରୁ ସେମାନଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର