ଭାରତୀୟ ରେଳବାଇର ବଡ଼ ନିଷ୍ପତ୍ତି: ଏବେ କେହି ବି ଭଡ଼ାରେ ନେଇ ଚଳାଇ ପାରିବ ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ କୌଣସି ରାଜ୍ୟ ସରକାର କିମ୍ବା କମ୍ପାନି ଟ୍ରେନକୁ ଭଡ଼ାରେ ନେଇପାରିବେ । ଏନେଇ ଷ୍ଟେଟ ହୋଲ୍ଡର୍ସଙ୍କ ସହ ରେଳ ମନ୍ତ୍ରାଳୟର ଆଲୋଚନା ହୋଇଛି । ଏହି ସେବା ପାଇଁ ରେଳ ବିଭାଗ ସର୍ବନିମ୍ନ ଚାର୍ଜ ଲଗାଇବ । ଏହି ଯୋଜନାରେ ୩୩୩୩ ଟି କୋଚ୍ ଅର୍ଥାତ ୧୯୦ ଟି ଟ୍ରେନକୁ ରେଳ ମନ୍ତ୍ରାଳୟ ଚିହ୍ନଟ କରିଛି ।

ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଭାରତ ଗୌରବ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛନ୍ତି । ଏହି ଟ୍ରେନ ଭାରତର ସଂସ୍କୃତି, ଐତିହ୍ୟକୁ ପ୍ରଦର୍ଶନ କରିବା ଭଳି ବିଷୟବସ୍ତୁ ଉପରେ ଆଧାରିତ ହେବ । ଏନେଇ ରେଳ ବିଭାଗ ତରଫରୁ ୧୯୦ ଟି ଟ୍ରେନ ଆବଣ୍ଟିତ କରାଯାଇଛି । ରେଳମନ୍ତ୍ରୀ କହିଛନ୍ତି ଯେ, ଭଲ ପ୍ରତିକ୍ରିୟା ମିଳିଲେ ଏହି ଟ୍ରେନର ସଂଖ୍ୟାକୁ ବୃଦ୍ଧି କରାଯିବ ।

ରେଳମନ୍ତ୍ରୀ କହିଛନ୍ତି ଯେ, ଏହି ଟ୍ରେନର ପରିଚାଳନା କେବଳ ପର୍ଯ୍ୟଟନସ୍ଥଳ ପାଇଁ କରାଯିବ । ଭାରତ ଗୌରବ ଟ୍ରେନ, ରାମାୟଣ ଟ୍ରେନ ମାଧ୍ୟମରେ ଲୋକଙ୍କୁ ଭାରତୀୟ ସଂସ୍କୃତି, ଆମର ବିବିଧତା ଓ ଐତିହ୍ୟ ସହ ପରିଚିତ କରାଇବାର ସୁଯୋଗ ମିଳିବ । ଏହାସହ ଆଗାମୀ ଦିନରେ ରେଳ ମନ୍ତ୍ରାଳୟ ଗୁରୁ କୃପା ଓ ସଫାରୀ ଟ୍ରେନ ଚଳାଇବାକୁ ଯୋଜନା କରିଛି ।

ତେବେ ଟ୍ରେନ ଭଡାରେ ନେବା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଏସି, ନନ୍ ଏସି ଭଳି ସମସ୍ତ କାଟାଗୋରୀର ଟ୍ରେନ ଉପଲବ୍ଧ ରହିବ । ଏହାସହ ରୁଟ ଚୟନ କରିବାର ଅଧିକାର କମ୍ପାନି ପାଖରେ ରହିବ ।

ସମ୍ବନ୍ଧିତ ଖବର